କରୋନା କାଳରେ ଅକ୍ସିଜେନ ଅଭାବ; ରେଳ ବିଭାଗ ଚଲାଇବ ଅକ୍ସିଜେନ ଏକ୍ସପ୍ରେସ୍‌

ନୁଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ସମଗ୍ର ଦେଶରେ ଦୃତଗତିରେ ବଢ଼ୁଥିଲା ବେଳେ ମେଡିକାଲରେ ସିଟ୍ ଅଭାବ ସହିତ ଅକ୍ସିଜେନର ଅଭାବ ମଧ୍ୟ ବୃଦ୍ଧି ପାଉଛି। ଏହିଭଳି ସମୟରେ ସମଗ୍ର ଦେଶରେ ୪ ହଜାରରୁ ଊର୍ଦ୍ଧ୍ୱ ରେଲୱେ କୋଚକୁ କୋଭିଡ କେୟାର ସେଣ୍ଟରରେ ପରିଣତ କରାଯାଇଛି। ଏବେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ରେଳ ବିଭାଗ ଅକ୍ସିଜେନ ପହଞ୍ଚାଇବାକୁ ମଧ୍ୟ ଅଣ୍ଟା ଭିଡିଛି।

କମ୍ ସମୟରେ ଅକ୍ସିଜେନ ପହଞ୍ଚାଇବା ନେଇ ରେଳବାଇ ପକ୍ଷରୁ ଗ୍ରୀନ କରିଡର କରାଯାଇ ଅକ୍ସିଜେନ ଏକ୍ସପ୍ରେସ ଚାଲିବ। ଗତକାଲି ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ ପରିବହନ ଓ ଶିଳ୍ୱ ବିଭାଗ ସହିତ ସଭାରେ ଏ ନେଇ ନିଷ୍ପତି ହୋଇଛି। ଏହି ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ରାଜ୍ୟ ସରକାର ଫାଙ୍କା ଟ୍ୟାଙ୍କର ପ୍ରଦାନ କରିବେ ଏବଂ ଏଗୁଡିକ ଟ୍ରେନ ଦ୍ୱାରା ଦେଶର ବିଭିନ୍ନ ସ୍ଥାନକୁ ଯାଇ ସେଠାରୁ ତରଳ ଅକ୍ସିଜେନ ନେଇ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶକୁ ଆସିବ। ଏନେଇ ରେଳ ବିଭାଗ ତରଫରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।