ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ ସେବା ବିଜେପି ଝାରସୁଗୁଡ଼ା ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଛି। ସ୍ଥାନୀୟ ହୋଟେଲ ମେଘଦୂତଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଶ୍ରୀ ତ୍ରିପାଠୀ ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ କଠୋର ସମାଲୋଚନା କରିବା ସହ ମହାମାରୀ ସମୟରେ ଝାରସୁଗୁଡ଼ା ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧି କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ। ବେଦାନ୍ତ କମ୍ପାନୀର ମାଲିକ ଅନିଲ ଅଗ୍ରୱାଲ ଓଡ଼ିଶାର କୌଣସି ସ୍ଥାନରେ କରୋନା ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେବା ପରେ ତାହାକୁ ଝାରସୁଗୁଡ଼ାରେ କରିବା ଲାଗି ସେ ଚିଠି ଲେଖିଥିଲେ। ମାତ୍ର ଓଡ଼ିଶା ସରକାର ରାଜ୍ୟରେ କରୋନା ମୁକାବିଲା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ଦର୍ଶାଇ ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ସହଯୋଗ କରିଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବନ୍ଧବହାଲଠାରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଏମସିଏଲ ପକ୍ଷରୁ ନିର୍ମାଣ କରାଯାଉଥିବା ଭେଣ୍ଟିଲେଟର ଓ ଆଇସିୟୁଯୁକ୍ତ ହସ୍ପିଟାଲ ଆସନ୍ତା ମାସରୁ କାର୍ଯ୍ୟକ୍ଷମ ହେବ। ଏଥିସହିତ ସମ୍ପ୍ରତି ଜିଲ୍ଲାରେ ଦେଖାଦେଇଥିବା ବିଷମ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପାଇଁ ବିଜେପି ପକ୍ଷରୁ ଅମ୍ଳଜାନ ସିଲିଣ୍ଡର ଏବଂ ସାନ୍ଦ୍ରକ ଯୋଗାଇ ଦିଆଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା ଓ ଝାରସୁଗୁଡ଼ା ଟାଉନ ମଣ୍ଡଳ ସଭାପତି ନେତାଜୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।