ଓୟୁଜେ ପକ୍ଷରୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ବ୍ରଜରାଜନଗର ବାସୁ ଫାଉଣ୍ଡେସନ ପକ୍ଷରୁ ଓୟୁଜେ ଦେବଗଡ଼ ଜିଲ୍ଲା ସାମ୍ବାଦିକ ୟୁନିୟନ ଓ ରିଆମାଳ ବ୍ଲକ୍ ୟୁନିଟର ମିଳିତ ସହାୟତାରେ ଏକ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଞ୍ଜୟ କୁମାର ପାଣିଙ୍କୁ ଏହି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଥିଲା। ଓଡିଶା ସାମ୍ବାଦିକ ୟୁନିୟନର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଉପସ୍ଥିତ ରହି କରୋନା ମହାମାରୀ ସମୟରେ ବାସୁ ଫାଉଣ୍ଡେସନ ସହାୟତାର ହାତ ବଢାଇଥିବାରୁ ତାକୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ସାମ୍ବାଦିକ ସିଦ୍ଧେଶ୍ୱର ଗୁରୁ ଉପସ୍ଥିତ ରହି ଉକ୍ତ ମେସିନ ଉପଯୋଗ ପାଇଁ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଏବଂ ସାମ୍ବାଦିକ ବ୍ରିଜେଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବାସୁ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଶାନ୍ତ ପ୍ରଧାନ ଯୋଗଦେଇ ଆଗାମୀ ଦିନରେ ଅନ୍ୟାନ୍ୟ କେତେକ ଜିନିଷ ଜିଲ୍ଲା ସଙ୍ଘକୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ମନୋଜ କୁମାର ବେହେରା ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ସଞ୍ଜିବ କୁମାର ପାଣିଗ୍ରାହୀ, ପ୍ରଣବ କୁମାର ଦେବ, ଆର୍ତ୍ତତ୍ରାଣ ପ୍ରଧାନ, ବିଜୟ କୁମାର ପ୍ରଧାନ, ପ୍ରଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଓୟୁଜେର ପୂର୍ବତନ ଉପସଭାପତି ସ୍ୱର୍ଗତ ବାସୁଦେବ ପଣ୍ଡାଙ୍କ ନାମରେ ଗଠିତ ବାସୁ ଫାଉଣ୍ଡେସନର ମୁଖ୍ୟ ତଥା ତାଙ୍କର ପୁଅ ପ୍ରତ୍ୟୁଷ ପଣ୍ଡା ଏହା ଯୋଗାଇ ଦେଇଛନ୍ତି।