ବଣିକ ସଂଘର ଅକ୍ସିଜେନ ବ୍ୟାଙ୍କ ଲୋକାର୍ପିତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଅନୁରୋଧ କ୍ରମେ ଆଜି ବଲାଙ୍ଗିର ବଣିକ ସଂଘ ପକ୍ଷରୁ ଏକ ଅକ୍ସିଜେନ ବ୍ୟାଙ୍କ ଅରମ୍ଭ ହୋଇଛି। ଏହି ବ୍ୟାଙ୍କକୁ ବିଧାୟକ ଶ୍ରୀ ମିଶ୍ର ଲୋକାର୍ପିତ କରିଥିବା ବେଳେ ପ୍ରଥମେ ୧୯ଟି ସିଲିଣ୍ଡର ଦ୍ୱାରା ଆରମ୍ଭ ହୋଇଛି। ଆଗକୁ ସଂଗଠନ ତରଫରୁ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯିବ ବୋଲି ସଂଘ କହିଛି। ଘରେ ରହି ଚିକିତ୍ସିତ ହେଉଥିବା ବଲାଙ୍ଗିରବାସୀ ଆବଶ୍ୟକ ସ୍ଥଳେ ବଣିକ ସଂଘକୁ ଯୋଗାଯୋଗ କରି ଏହି ଅକ୍ସିଜେନ ସିଲିଣ୍ଡର ପାଇପାରିବେ ବୋଲି ସଂଘ ପ୍ରକାଶ କରିଛି।

ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ବଲାଙ୍ଗିର ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ଅକ୍ସିଜେନ ବ୍ୟାଙ୍କକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। ବଲାଙ୍ଗିରରେ ପ୍ରତ୍ୟହ ଶହ ଶହ ଲୋକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସେମାନଙ୍କର ଚିକିତ୍ସା ପାଇଁ ଅକ୍ସିଜେନର ଅଭାବ ଦେଖାଦେଉଛି। ସେହିପରି ଅଞ୍ଚଳର ରୋଗୀମାନେ ଡାକ୍ତରଖାନକୁ ପହଞ୍ଚିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ପାଉନାହାନ୍ତି। ଏହାକୁ ବେସରକାରୀ ସ୍ତରରେ ଦୂର କରିବା ପାଇଁ ଶ୍ରୀ ମିଶ୍ର ବଲାଙ୍ଗିର ବଣିକ ସଂଘକୁ ଅନୁରୋଧ କରିଥିଲେ। ତେବେ ସଂଘ ପକ୍ଷରୁ ଅତିଶୀଘ୍ର ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗଇ ଦିଆଯିବ ବୋଲି କୁହାଯାଇଛି।

ସଂଘର ଏହି ଜନମଙ୍ଗଳକାରୀ ଉଦ୍ୟମ ପାଇଁ ଶ୍ରୀ ମିଶ୍ର ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରଅଧିକାରୀ ବିପିନ ଦୀପ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ବଲାଙ୍ଗିର ରେଡକ୍ରସ ସୋସାଇଟିର ସଭାପତି ବିଷ୍ଣୁ କେଡିଆ ଆୟୋଜନ କରିଥିଲେ। ଏହି ପରିପ୍ରେକ୍ଷୀରେ ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ସମ୍ପାଦକ ବଳରାମ ଅଗ୍ରୱାଲ, ବିଙ୍ଗ ହ୍ୟୁମାନର ସଭାପତି ସୋମନାଥ ମିଶ୍ରଙ୍କୁ ମହତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।