ରୋହିଙ୍ଗ୍ୟା ପ୍ରବାସୀ ବାଲାଂଦେଶ ଉପରେ ବଡ ବୋଝ: ଶେଖ୍ ହସିନା

ଢାକା,ଏଜେନ୍ସି: ”ରୋହିଙ୍ଗ୍ୟା ପ୍ରବାସୀ ବାଲାଂଦେଶ ଉପରେ ବଡ ବୋଝ । ଭାରତ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ପାରିବ । ରୋହିଙ୍ଗ୍ୟାମାନେ ଯେପରି ନିଜ ମାତୃଭୂମିକୁ ଫେରିପାରିବେ ସେଥିପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟର ସହାୟତା ନେଉଛୁ । ପଡୋଶୀ ରାଷ୍ଟ୍ରମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରୁଛୁ । ରୋହିଙ୍ଗ୍ୟା ପ୍ରବାସୀ ସମସ୍ୟାର ସମାଧାନ ଭାରତ ହିଁ କରିପାରିବ ।”

ସାକ୍ଷାତକାରରେ ଶେଖ୍ ହସିନା ସ୍ବୀକାର କରିଛନ୍ତି ଯେ, ବାଲାଂଦେଶରେ ଲକ୍ଷ ଲକ୍ଷ ସଂଖ୍ୟକ ରୋହିଙ୍ଗ୍ୟା ପ୍ରବାସୀଙ୍କ ଉପସ୍ଥିତି ତାଙ୍କ ଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ସେମାନେ ଦେଶ ପାଇଁ ଏକ ବଡ ବୋଝ ପାଲଟିଛନ୍ତି । ଭାରତ ଏକ ବିଶାଳ ରାଷ୍ଟ୍ର ହୋଇଥିବା ବେଳେ ସେଠାରେ କମ୍ ସଂଖ୍ୟକ ରୋହିଙ୍ଗ୍ୟା ପ୍ରବାସୀ ଅଛନ୍ତି । ହେଲେ ବାଲାଂଦେଶରେ ୧.୧ ମିଲିୟନ ରୋହିଙ୍ଗ୍ୟା ରହିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ସେମାନେ ନିଜ ଘରକୁ ଫେରିବା ଜରୁରୀ ହୋଇପଡିଛି । ଏଥିପାଇଁ କୌଣସି ଠୋସ୍ ପଦକ୍ଷେପ ନେବାକୁ ଅନ୍ତରାଷ୍ଟ୍ରୀୟ ସମୁଦାୟ ଏବଂ ପଡୋଶୀ ରାଷ୍ଟ୍ରମାନଙ୍କ ସହ ପରାମର୍ଶ କରୁଛୁ ବୋଲି ଶେଖ୍ ହସିନା ପ୍ରକାଶ କରିଛନ୍ତି ।

”ମାନବିକତା ଭିତ୍ତିରେ ଆମେ ସେମାନଙ୍କୁ ନିଜ ଦେଶରେ ଆଶ୍ରୟ ଦେଉଛୁ । କୋଭିଡ ସମୟରେ ସମସ୍ତ ରୋହିଙ୍ଗ୍ୟା ସମ୍ପ୍ରଦାୟଙ୍କୁ ଟୀକାକରଣରେ ସାମିଲ କରିଥିଲୁ । ହେଲେ ସେମାନେ ଆଉ କେତେଦିନ ଏଠାରେ ରହିବେ । ସେମାନେ ନିଜ ଘରକୁ ଫେରିଯିବା ଉଚିତ୍ । ଏହି ପ୍ରବାସୀମାନେ ଏବେ କ୍ୟାମ୍ପ କରି ରହୁଛନ୍ତି । ଯାହାକି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ହୋଇପାରେ” ବୋଲି ବାଲାଂଦେଶ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କ କହିବା ମୁତାବକ, ରୋହିଙ୍ଗ୍ୟାମାନେ ବିଶେଷତଃ ମାଦକ ଦ୍ରବ୍ୟ, ହିଂସା ଏବଂ ମହିଳା ତସ୍ମରୀ ଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି । ଦିନକୁ ଦିନ ଏହି ଅପରାଧିକ ଘଟଣା ବଢିବାରେ ଲାଗିଛି । ତେଣୁ ସେ ଯେତେଶୀଘ୍ର ଘରକୁ ଫେରିବେ ବାଲାଂଦେଶ ଏବଂ ମିଆଁମାର ପାଇଁ ଭଲ ହେବ । ପଡୋଶୀ ରାଷ୍ଟ୍ର ଭାବେ ଭାରତ ଏ କ୍ଷେତ୍ରରେ ବଡ ଭୂମିକା ଗ୍ରହଣ କରିପାରିବ । ଆସନ୍ତା ୫ ତାରିଖରେ ଶେଖ୍ ହସିନା ଭାରତ ଆସିବାକୁ ଥିବାବେଳେ ଏହା ପୂର୍ବରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି ।