ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଦୁଇ ଦିନ ଧରି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ସୁନୀଲ ବଂଶଲ ।

ଅଗଷ୍ଟ ୪ ତାରିଖ ଅପରାହ୍ନ ୧ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ । ସେ ଓଡ଼ିଶାର ଦାୟିତ୍ବ ନେବାପରେ ଏହା ରାଜ୍ୟରେ ସୁନୀଲ ବଂଶଲଙ୍କ ପ୍ରଥମ କାର୍ଯ୍ୟକ୍ରମ । ସୁନୀଲ ବଂଶଲଙ୍କ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବା ପରେ ଶତାଧିକ ବିଜେପି କର୍ମୀ ତାଙ୍କୁ ସ୍ବାଗତ କରିବେ ।

ସୋମବାର ପହଞ୍ଚିବା ପରେ ସେ ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ । ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ଦଳର ରଣନୀତି ଉପରେ ଆଲୋଚନା ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।