ଓଏସଏସଏସସି ୱେବସାଇଟର ବୈଷୟିକ ସମସ୍ୟାକୁ ନେଇ ଆବେଦନକାରୀ ନିରାଶ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ବିଭିନ୍ନ ବିଭାଗରେ ପଦ ପଦବୀ ଘୋଷଣା କରିଛନ୍ତି । ଏଥିଲାଗି ଆଶାୟୀ ପ୍ରାର୍ଥୀଙ୍କୁ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ୱେବସାଇଟରେ ଆବେଦନ କରିବାର ନିର୍ଦ୍ଦେଶନାମା ଦିଆଯାଇଥିଲା । ଆୟୋଗ ପକ୍ଷରୁ ୨,୮୯୫ଟି ପଦବୀର ବିଜ୍ଞପ୍ତିକ୍ରମେ ଅମିନ, ଆରଆଇ, ଏଆରଆଇ, ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ପଦବୀ ଅନ୍ତର୍ଭୁକ୍ତ ଥିଲା । ସେହିପରି ଫାର୍ମାସୀ ଓ ହେଲ୍ଥ ୱାର୍କର ପଦବୀ ନିମନ୍ତେ ଯଥାକ୍ରମେ ୧୨୬୬ ଓ୧୫୩୧ଟି ପଦବୀ ପ୍ରକାଶ ପାଇଥିଲା । ଅମିନ ଆରଆଇ ଆଦି ପଦବୀ ଡିସେମ୍ବର ୩୦ରୁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୨୫ରେ ସମାପ୍ତ ହେବ ଏବଂ ଜାନୁଆରୀ ୩୧ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିବାର ଘୋଷଣାନାମା ଥିଲା । ସେହିପରି ଫାର୍ମାସୀ ଓ ହେଲ୍ଥ ୱାର୍କରଙ୍କ ଅନଲାଇନ ଆବେଦନ ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୬ ପର୍ଯ୍ୟନ୍ତ ଥିଲା । ଏସବୁ ଘୋଷଣା ହେବାପରେ ଦୀର୍ଘ ଦିନଧରି ଅପେକ୍ଷାରେ ଥିବା ଅନେକ ଆଶାୟୀ ପ୍ରାର୍ଥୀ ଓଏସଏସଏସସି ୱେବସାଇଟରେ ଅନଲାଇନ ଆବେଦନ କରିବାକୁ ଯାଇ ବିଫଳ ହେଉଛନ୍ତି । ଅନଲାଇନ ଆବେଦନ ସମସ୍ୟାକୁ ନେଇ ଅନେକ ଯୁବକ ଯୁବତୀ ହତାଶ ହୋଇ ପଡ଼ିଛନ୍ତି ।ଅଫିସିଆଲ୍ ୱେବସାଇଟ ସଠିକ୍ କାର୍ଯ୍ୟ କରୁନାହିଁ ବୋଲି ସେମାନଙ୍କଠାରୁ ଶୁଣିବାକୁ ମିଳୁଛି । ବୈଷୟିକ କାରଣ ଦର୍ଶାଇ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୱେବସାଇଟରେ ଆବେଦନ ପ୍ରକ୍ରିୟାକୁ ସସପେଣ୍ଡ କରିଦିଆଯାଇଛି । ତେଣୁ ସନ୍ଧ୍ୟା ୬ଟାରୁ ସକାଳ ୧୧ଟା ମଧ୍ୟରେ ଆବେଦନ କରିବାକୁ ପାର୍ଥୀଙ୍କୁ ଆୟୋଗ ତରଫରୁ ପରାମର୍ଶ ଦିଆଯାଇଥିବା ଶୁଣିବାକୁ ମିଳିଛି । ଏହି ସମସ୍ୟା ଆହୁରି ୧୫ଦିନ ଲାଗି ରହିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହି ସୀମିତ ସମୟ ଓ ୱେବସାଇଟ ଅନଲାଇନ ସମସ୍ୟା ମଧ୍ୟରେ ପାର୍ଥୀମାନେ କିପରି ନିର୍ଭୁଲ ଭାବେ ସେମାନଙ୍କ ଆବେଦନ କରିପାରିବେ ସେନେଇ ସମସ୍ୟା ହେଉଛି । ଏସବୁ ସମସ୍ୟାକୁ ନେଇ ମୁନିଗୁଡ଼ା ଜନସେବା କେନ୍ଦ୍ର ଓ ସାଇବର ସେକ୍ଟର ମାନଙ୍କରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆବେଦନକାରୀମାନେ ଭିଡ଼ ଲଗାଉଛନ୍ତି । ଏତେବର୍ଷ ପରେ ଆବେଦନ କରିବାର ସୁଯୋଗଟିଏ ମିଳିଥିଲା । ଅନେକ ଆଶାଥିଲା ଚାକିରି ଖଣ୍ଡେ ମିଳିଯିବ । ହେଲେ ଅନଲାଇନ ସମସ୍ୟା ଆଶାକୁ ପାଣିରେ ମିଲାଇଦେଲା ବୋଲି ଅନେକ ପ୍ରାର୍ଥୀ ନିରାଶ ହୋଇ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆୟୋଗ ଯଦି ଆବେଦନ ନିମନ୍ତେ ଅଧିକ ସମୟସୀମା ନିର୍ଦ୍ଧାରଣ କରନ୍ତେ ତେବେ ଅନେକ ଆଶାୟୀ ଉପକୃତ ହୁଅନ୍ତେ ।