ନବରଙ୍ଗପୁର,ଏନ୍ଏନ୍ଏସ୍ : ମାଲେସିଆର କୁଆଲାଲମପୁର ବିମାନ ବନ୍ଦରରେ ନବରଙ୍ଗପୁର ନବଦମ୍ପତି ଫଶି ରହିଛନ୍ତି। ସେମାନେ ହେଲେ ସହରର ଇଚ୍ଛାବତୀଗୁଡ଼ାର ଶଙ୍କର ହାଲଦାର୍ ଓ ତାଙ୍କ ସ୍ତ୍ରୀ ପଲ୍ଲବୀ ମିଶ୍ର। ସେମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ନବଦମ୍ପତି ଅନୁରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଇଚ୍ଛାବତୀଗୁଡ଼ାର ଶଙ୍କର ହାଲଦାର ଓ ପଲ୍ଲବୀ ବେଙ୍ଗାଲୁରୁର ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରିଆସୁଥିଲେ। କିଛିଦିନ ହେବ ଦୁହେଁ ବିବାହ କରିଥିଲେ। ବିବାହ ପରେ ନବଦମ୍ପତି ମାଲେସିଆ ବୁଲିବାକୁ ଯାଇଥିଲେ। କରୋନା ସଂକ୍ରମଣ ଘଟଣା ଯୋଗୁ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦରହିଛି। ନବଦମ୍ପତି ସେଠାରୁ ଫେରିଆସିବାକୁ ଦୁଇ ଦୁଇଥର ଟିକେଟ୍ କରି ମଧ୍ୟ ଆସିପାରୁନାହାନ୍ତି ବୋଲି ମୋବାଇଲ ଭିଡ଼ିଓ ଯୋଗେ ପରିବାର ଲୋକଙ୍କୁ ଜଣାଇଛନ୍ତି। ଉଭୟ ପରିବାରର ସଦସ୍ୟ ସୁଲତା ହାଲଦାର, ଗୁପ୍ତେଶ୍ୱର ମିଶ୍ର, ସୌଦାମିନି ମିଶ୍ର ପ୍ରମୁଖ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ଦମ୍ପତିଙ୍କୁ ମୁକୁଳାଇବା ପାଇଁ ଅନୁରୋଧ କରିଛନ୍ତି।
ପ୍ରକାଶଥାଉକି, ଇଚ୍ଛାବତୀଗୁଡ଼ାର ଗୁପ୍ତେଶ୍ୱର ମିଶ୍ରଙ୍କ ଝିଅ ପଲ୍ଲବୀ ମିଶ୍ର ଫେବୃଆରୀ ୨୬ ତାରିଖରେ ସେହି ସାହିର ପରିମଳ ହାଲଦାରଙ୍କ ପୁଅ ଶଙ୍କର ହାଲଦାରଙ୍କୁ ବିବାହ କରିଥିଲେ। ଗତ ମାର୍ଚ୍ଚ ୧୨ ତାରିଖରେ ସେମାନେ ବୁଲିବାକୁ ମାଲେସିଆ ଯାଇଥିଲେ। ଫେରିବା ଟିକେଟ ୧୭ ତାରିଖ ହୋଇଥିଲା। କିନ୍ତୁ କରୋନା ପାଇଁ ବାରମ୍ବାର ଫ୍ଲାଇଟ ଆସିବା ରଦ୍ଦ ହୋଇଯାଇଥିଲା।