କୋରାପୁଟ/ବଲାଙ୍ଗିର,ଏନ୍ଏନ୍ଏସ୍ : କୋରାପୁଟ ଓ ବଲାଙ୍ଗିରରେ ବଜ୍ରାପାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ମୂର୍ତ୍ତାହାଣ୍ଡି ପଞ୍ଚାୟତ ଜିରା ଗାଁ’ରେ ବଜ୍ରାଘାତ ଯୋଗୁଁ ବାପା ସହ ଶିଶୁକନ୍ୟା ମୃତ୍ୟୁବରଣ କରିଛନ୍ତି। ମୃତକମାନେ ହେଲେ ରାମଚନ୍ଦ୍ର ମାଝୀ (୩୦) ଓ ତାଙ୍କ ୧୧ ମାସର ଝିଅ ମୀନତି ମାଝୀ। ରାମଚନ୍ଦ୍ର ମୀନତିଙ୍କୁ କୋଳରେ ଧରି ଘର ଭିତରେ ଶୁଆଉଥିବା ବେଳେ ଅଚାନକ ଘଡ଼ଘଡ଼ି ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ଫଳରେ ଉଭୟେ ବାପା, ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ରାମଚନ୍ଦ୍ରଙ୍କ ସ୍ତ୍ରୀ ପାର ମାଝୀ ବାରଣ୍ଡାରେ କାମ କରୁଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଖବରପାଇ ମୂର୍ତ୍ତାହାଣ୍ଡି ସରପଞ୍ଚ ବାସନ୍ତୀ ମାଝୀ, ସମାଜସେବୀ ସନାତନ ଦାଶ, ରଘୁପତି ମାଝୀ, କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ଜେନା, ଗ୍ରାମ ରୋଜଗାର ସେବକ ଶରତ ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ବ୍ଲକ୍ ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ତଥା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ଅବଗତ କରାଇବା ସହ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।
ସେହିପରି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ କରୁଆମୁଣ୍ଡା ଗ୍ରାମପଞ୍ଚାୟତ ସରଗୁଲ ଗ୍ରାମରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଯୁଗେ ପରାଭୋଇ (୩୨)। ଯୁଗେ ଜମିରେ କାମ କରୁଥିବା ସମୟରେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ସୂଚନାପାଇ ତାଙ୍କର ଘର ଲୋକେ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।