କଳାହାଣ୍ଡି,ଏନ୍ଏନ୍ଏସ୍: ଦଶହରା ସମୟରେ ଭବାନୀପାଟଣା ଠାରେ ଆରଧ୍ୟ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଦିଆଯାଉଥିବା ପଶୁ ବଳି ଉପରେ ହାଇକୋର୍ଟ ପକ୍ଷରୁ ରୋକ ଲଗାଯାଇଛି। ଯାତ୍ରା ସମୟରେ ରାସ୍ତା କଡ଼ କିମ୍ବା ମନ୍ଦିର ପାଶ୍ୱର୍ରେ କୌଣସି ଭକ୍ତ ପଶୁ କିମ୍ବ ପକ୍ଷୀର ବଳି ଦେଇ ପାରିବ ନାହିଁ ବୋଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଏହାକୁ ନେଇ କଳାହାଣ୍ଡିରେ ବିତର୍କ ଆରମ୍ଭ ହୋଇଯାଇଛି।
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠରେ ସମାଜସେବୀ ଜୟନ୍ତୀ ଦାସଙ୍କ ଆଗତ ଜନସ୍ୱାର୍ଥ ମାମଲା ଉପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଗତ ୨୦୧୭ ମସିହାରୁ ଜୟନ୍ତୀ ଛତର ଯାତ୍ରା ସମୟରେ ହେଉଥିବା ପଶୁ ଓ ପକ୍ଷୀର ବଳି ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ମାତ୍ର କୋର୍ଟର ବନ୍ଦ ନିର୍ଦ୍ଦେଶ ସତ୍ତେ୍ୱ ପ୍ରଶାସନିକ ନିଷ୍କ୍ରିୟତା ପ୍ରତିବାଦରେ ସେ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟକୁ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ମଧ୍ୟ କୋର୍ଟ ନିର୍ଦ୍ଦେଶ ପାଇଁ ମୁଖ୍ୟ ଶାସନ ସଚିବକୁ ଚିଠି ସତ୍ୱେ କୌଣସି ପଦକ୍ଷେପ ନିଆଯାଇ ନଥିବା ଦର୍ଶାଇ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ରାୟ ପରେ ପୁଣି କଳାହାଣ୍ଡି ଜିଲ୍ଲାରେ ବିତର୍କ ଆରମ୍ଭ ହୋଇଛି ।
ଏନେଇ କଳାହାଣ୍ଡି ଏସପି କୋର୍ଟ କପି ମିଳୁନଥିବା ଦର୍ଶାଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । କିନ୍ତୁ ଛତର ଯାତ୍ରାରେ ସମ୍ପୂର୍ଣ ବଳି ବନ୍ଦ ନିର୍ଦ୍ଦେଶ ପ୍ରଶାସନ ପାଇଁ ନୂଆ ଚ୍ୟଲେଞ ସୃଷ୍ଟି କରିଛି।