ସଂସଦରେ ଧାରଣା ଓ ପ୍ରତିବାଦ ମନା: ସ୍ପଷ୍ଟୋକ୍ତି ଦେଲେ ବାଚସ୍ପତି, ଘେରିଲେ ବିରୋଧୀ

ନୂଆଦିଲ୍ଲୀ,ଏଜେନ୍ସି: ସଂସଦ ଭବନ ପରିସରରେ ଧାରଣା, ବିକ୍ଷୋଭ ପ୍ରଦର୍ଶନ, ଅନଶନ ବା କୌଣସି ଧାର୍ମିକ ସମାରୋହ ପାଇଁ ବ୍ୟବହାର ହୋଇପାରିବ ନାହିଁ । ରାଜ୍ୟସଭା ସଚିବାଳୟର ଏକ ବୁଲେଟିନ୍‌ରେ ଏଭଳି ଏକ ନିର୍ଦ୍ଦେଶ ଆସିବାରେ ଜାତୀୟ ରାଜନୀତିରେ ତୁମ୍ବି ତୋଫାନ ଉଠିଛି । ବିବାଦ ପରେ ସଚିବାଳୟ ପକ୍ଷରୁ ଏହା କେବଳ ଏକ ପ୍ରକ୍ରିୟା କୁହାଯାଉଛି । ସେପଟେ ଏହାକୁ ତୁଗଲକି ଫର୍‌ମାନ୍‌ ବୋଲି କଟାକ୍ଷ କରିଛନ୍ତି ବିରୋଧୀ ।

୨୦୨୧ ଅଗଷ୍ଟ ୩ ତାରିଖରେ ସଂସଦ ପରିସରରେ ଧାରଣା ପ୍ରଦର୍ଶନ ହୋଇପାରିବ ନାହିଁ ବୋଲି ଆଡଭାଇଜରୀ ଜାରି ହୋଇଥିଲା । ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲାଙ୍କ ମୁତାବକ ସଚିବାଳୟ ପକ୍ଷରୁ କୌଣସି ନୂଆ ବୁଲେଟିନ୍‌ ଜାରି କରାଯାଇନାହିଁ । ସଂସଦର ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଏଭଳି ବୁଲେଟିନ୍‌ ଜାରି କରାଯାଇ ଆସୁଛି । ୨୦୧୩ରେ ମଧ୍ୟ କଂଗ୍ରେସ ସରକାର ଅମଳରେ ଏଭଳି ବୁଲେଟିନ୍‌ ଜାରି କରାଯାଇଥିଲା ।

ତେବେ ରାଜ୍ୟସଭା ସଚିବାଳୟର ବୁଲେଟିନ୍‌ ପରେ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି ବିରୋଧୀ । ଗତକାଲି ସଂସଦରେ କେଉଁ ଶବ୍ଦ ବ୍ୟବହାର ହୋଇ ପାରିବ ଓ କେଉଁ ଶବ୍ଦ ବ୍ୟବହାର ହୋଇ ପାରିବ ନାହିଁ ତାହାକୁ ନେଇ ଏକ ବୁଲେଟିନ୍‌ ଜାରି ହୋଇଥିଲା । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ନାନା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଅସଂସଦୀୟ ଶବ୍ଦର ନୂଆ ସୂଚୀ ଜାରି କରି ସଂସଦର ବିମର୍ଶ ଉପରେ ବୁଲଡୋଜର ବୁଲାଇବା ପରେ ବର୍ତ୍ତମାନ ସରକାର ଏହି ତୁଗଲକୀ ଫର୍‌ମାନ୍‌ ଜାରି କରିଛନ୍ତି ବୋଲି କହିଛନ୍ତି ବିରୋଧୀ ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, “ବିଶ୍ବଗୁରୁଙ୍କ ତାଜା ପ୍ରହାର, ଧାରଣା ମନା ।” ସିପିଏମ୍‌ ନେତା ସୀତାରାମ ଚୌଧୁରୀ କହିଛନ୍ତି ଯେ, “ଏହା ଗଣତନ୍ତ୍ରର ମୁହଁ ବନ୍ଦ କରିବାକୁ ଏକ ଖୋଲା ପ୍ରୟାସ ।”