ମାଓବାଦୀ ନାମରେ ଟାୱାର ନିର୍ମାଣକୁ ଅଦୃଶ୍ୟ ସଂଗଠନର ବିରୋଧ ଓ ଚେତାବନୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବିକାଶରେ ବାଧକ ସାଜିବାଜୁ ଅଦୃଶ୍ୟ ସଂଗଠନ ଉଦ୍ୟମ ଚଲାଇଛି । ଏଭଳି ଘଟଣା ଦେବଗଡ଼ ଥାନା ଅନ୍ତର୍ଗତ ଲଇମୁରା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ଲଇମୁରା ଫାଣ୍ଡି ଅନ୍ତର୍ଗତ ଝରାଗୋଗୁଆ, ଗଣ୍ଡମ, ପାରପୋଷି ଡିମିରିକୁଦା ଓ ଝାରମୁଣ୍ଡା ଆଦି ୫ଟି ପଞ୍ଚାୟତରେ ଟେଲିଫୋନ ଟାୱାର ନଥିବାରୁ ଲୋକେ ଟେଲି ସେବାରୁ ବଞ୍ଚିତ ରହିଛନ୍ତି । ନେଟୱର୍କ ସମସ୍ୟା କାରଣରୁ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପୁଲିସ, ଦମକଳ ଭଳି ଜରୁରୀକାଳୀନ ସୁବିଧା ସହ ସମସ୍ତ ଅନଲାଇନ କାର୍ଯ୍ୟରୁ ହଜାର ହଜାର ଜନସାଧାରଣ ବଞ୍ଚିତ ରହୁଛନ୍ତି । ବିଜେପି ନେତୃତ୍ୱାଧୀନ ଦେବଗଡ଼ ଜିଲ୍ଲାରେ ଆଦିବାସୀ ବହୁଳ ଉପରୋକ୍ତ ଅଞ୍ଚଳ ବିକାଶଠାରୁ ବହୁ ଦୂରରେ ଥିବା କାରଣରୁ ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୫ ପଞ୍ଚାୟତବାସୀଙ୍କୁ ଟେଲିଫୋନ ନେଟୱର୍କ ସୁବିଧା ନ ମିଳିବା ଯାଏଁ ଭୋଟ ବର୍ଜନ ନିଷ୍ପତ୍ତି ନେଇ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ କରିନଥିଲେ । ତେବେ ଟେଲିକମ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାରୁ ରାଜ୍ୟ ସରକାର ଅଞ୍ଚଳବାସୀଙ୍କ ଦାବୀକୁ ସମ୍ମାନ ଜଣାଇ ଏକ ଘରୋଇ ଟେଲି କମ୍ପାନୀ ସହାୟତାରେ ଅଞ୍ଚଳରେ ଟେଲିଫୋନ ଟାୱାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ପରେ ନାମାଙ୍କନର ଦ୍ୱିତୀୟ ପର୍ଯ୍ୟାୟରେ ଅଞ୍ଚଳବାସୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ପାଳନ ପୂର୍ବକ ଝରାଗୋଗୁଆରେ ଟାୱାର ନିର୍ମାଣ ପାଇଁ ପ୍ରଥମେ ଭୂମି ପୂଜା କରିବା ସହ ଗତକାଲି ଟାୱାର ନିର୍ମାଣର ସମସ୍ତ ସାମଗ୍ରୀ ଓହ୍ଲାଇଥିଲେ । ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ସମସ୍ୟା ସମାଧାନ ହେବା ଦେଖି ଅଞ୍ଚଳରେ ଖୁସିର ବାତାବରଣ ଦେଖା ଦେଇଥିଲା । କିନ୍ତୁ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଅଦୃଶ୍ୟ ଭାବେ ଗତକାଲି ରାତିରେ ଭୋଜପୁର – ଲଇମୁରା- ବଣେଇ ରାସ୍ତାର ବୁଢ଼ୀକୁଟେନ-ଡ଼ିମିରିକୁଦା ଛକ ନିକଟରେ ଗଛ କାଟି ରାସ୍ତାରେ ପକାଇବା ସହ ରାସ୍ତାକଡ଼ରେ ଏକ ଗଛରେ ପୋଷ୍ଟର ଟାଙ୍ଗି ଟାୱାର ସ୍ଥାପନକୁ ବିରୋଧ କରିବା ସହ ଏଥିପାଇଁ ପ୍ରଚେଷ୍ଟା କରୁଥିବା ଅଞ୍ଚଳର ନେତୃବୃନ୍ଦ ସାବଧାନ ରହିବାକୁ ଚେତାବନୀ ଦିଆଯାଇଛି । ସୂଚନା ପାଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ପୁଲିସ ବାହିନୀ ଉକ୍ତ ପୋଷ୍ଟର ଖୋଲିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଏସପି ରାଜକିଶୋର ପାଇକରାୟ ଓ ନିର୍ବାଚନ ପର୍ଯ୍ୟବେକ୍ଷ ଚନ୍ଦ୍ରମଣି ଗଡ଼ନାୟକ ଉପରୋକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଉପରୋକ୍ତ ୫ଟି ପଞ୍ଚାୟତରେ ମତଦାନ କେନ୍ଦ୍ର ଗୁଡ଼ିକର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିଥିଲେ ।