୧୧ରୁ ଭୁବନେଶ୍ୱର ଓପନ୍ ଚେସ୍ ଚାମ୍ପିଅନସିପ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ଥାନୀୟ ୟୁନିଟ୍-୨ସ୍ଥିତ ସେକ୍ରେଟାରୀଏଟ୍ ରିକ୍ରିଏସନ୍ କ୍ଲବ୍ଠାରେ ଭୁବନେଶ୍ୱର ଚେସ୍ ଆସୋସିଏସନ୍ (ବିସିଏ) ପକ୍ଷରୁ ୩୩ତମ ଭୁବନେଶ୍ୱର ଓପନ୍ ଚେସ୍ ଚାମ୍ପିଅନସିପ୍ ଆୟୋଜିତ ହେବ। ଏହି ଦୁଇଦିନିଆ ପ୍ରତିଯୋଗିତାରେ ୯ଟି ରାଉଣ୍ଡ୍ ମ୍ୟାଚ୍ ସ୍ୱିସ୍ ପଦ୍ଧତିରେ ଖେଳାଯିବ। କୃତୀ ପ୍ରତିଯୋଗୀଙ୍କ ପାଇଁ ସମୁଦାୟ ୫୨ଟି ପୁରସ୍କାର ରଖାଯାଇଥିବା ବେଳେ ୨୫ ଜଣ ପ୍ରତିଯୋଗୀମାନଙ୍କୁ ୨୯ ହଜାର ୨୦୦ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯିବ।

ଚାମ୍ପିଅନ୍ ପ୍ରତିଯୋଗୀଙ୍କୁ ୫୫୦୦, ରନର୍ସଅପ୍ ପ୍ରତିଯୋଗୀଙ୍କୁ ୪୨୦୦ ଓ ଦ୍ୱିତୀୟ ରନର୍ସଅପ୍ ପ୍ରତିଯୋଗୀଙ୍କୁ ୩୨୦୦ ଟଙ୍କାର ପୁରସ୍କାର ଦିଆଯିବ। ନଗଦ ପୁରସ୍କାର ବ୍ୟତୀତ ୮ ବର୍ଷରୁ କମ୍, ୧୦ ବର୍ଷରୁ କମ୍, ୧୨ ବର୍ଷରୁ କମ୍, ୧୪ ବର୍ଷରୁ କମ୍ ଓ ୧୮ ବର୍ଷରୁ କମ୍ ବାଳିକା ବର୍ଗରେ ପ୍ରଥମ ୫ ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିବ। ଆହୁରି ମଧ୍ୟ ୬୦ ବର୍ଷରୁ ଊଦ୍ଧ୍ୱର୍ ବର୍ଗରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ନଗଦ ପୁରସ୍କାର ପ୍ରଦାନ କରାଯିବ।

୨୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ଶ୍ରେଷ୍ଠ ମହିଳା ପ୍ରତିଯୋଗୀଙ୍କୁ ଅମିତା ମେମୋରିଅଲ୍ ଶିଲ୍ଡ ପ୍ରଦାନ କରାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସକାଶେ ୩୩୦ ଟଙ୍କାର ପ୍ରବେଶ ଶୁଳ୍କ ରହିଥିବା ବେଳେ ଇଚ୍ଛୁକ ପ୍ରତିଯୋଗୀମାନେ ବିସିଏ ସମ୍ପାଦକ ଦେବାଶିଷ ପାଣିଗ୍ରାହୀଙ୍କୁ ୯୯୩୮୩୧୮୭୮୭ କିମ୍ବା ୯୪୩୮୫୭୧୬୫୯ରେ ଆସନ୍ତା ୯ ତାରିଖ ସୁଦ୍ଧା ଯୋଗାଯୋଗ କରିବାକୁ କୁହାଯାଇଛି। ଗତବର୍ଷ ଏହି ପ୍ରତିଯୋଗିତାର ୩୨ତମ ସଂସ୍କରଣରେ ପୁରୀର ବିଭୁତି ଭୂଷଣ ଦାସ ଚାମ୍ପିଅନ୍ ଓ ଭୁବନେଶ୍ୱରର ଅମିତ୍ ମହାନ୍ତି ରନର୍ସଅପ୍ ହୋଇଥିଲେ।