ଏକକ ବିଶ୍ୱବିଦ୍ୟାଳୟ ହେଲା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟ। ବ୍ରହ୍ମପୁରର ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆନୁଷ୍ଠାନିକ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକକ ବିଶ୍ୱବିଦ୍ୟାଳୟ ଭାବରେ ଘୋଷଣା କରାଯାଇଛି। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିବା ଯୋଗୁଁ ଏହାର ଉଦଘାଟନୀ ତଥା ପ୍ରତିଷ୍ଠା ଦିବସ ଏହି ଅବସରରେ ଅନୁଷ୍ଠିତ ହୋଇଥିଲା।

ସମାରୋହରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଯୋଗଦେଇ ଖଲ୍ଳିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟ ବୋଲି ଘୋଷଣା କରିଥିଲେ। ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶାର ସର୍ବ ପୁରାତନ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମିଳିଛି ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା।

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ହେବା ଦ୍ୱାରା ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନେକ ଗୁଡ଼ିଏ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ବିଶ୍ୱବିଦ୍ୟାଳୟର ସବୁ କ୍ଷେତ୍ରରେ ଉନ୍ନତି କରାଯିବ। ଏହାସହିତ ଅଧ୍ୟପାକ ପଦବୀ ପୂରଣଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେ ନେଇ ମଧ୍ୟ ପ୍ରୟାସ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ବିଭାଗର ସଚିବ। ସେପଟେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠା ହେବା ପରେ ଏହାର ପ୍ରଥମ କୁଳପତି ହୋଇଛନ୍ତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି। ଏହାସହିତ ବିଶ୍ୱବିଦ୍ୟାଳୟ କିଭଳି ଭାବେ ଗବେଷଣା କ୍ଷେତ୍ରରେ ଆଗକୁ ଯିବ ସେ ନେଇ ମଧ୍ୟ ପ୍ରୟାସ କରାଯିବ ବୋଲି କହିଛନ୍ତି ସଚିବ।