ଲଗାତାର ୨ୟ ଦିନ ସାମ୍ବାର ସେନା ଶିବିର ନିକଟରେ ୪ ସନ୍ଦିଗ୍ଧ ଡ୍ରୋନ ଦୃଶ୍ୟମାନ

ଶ୍ରୀନଗର,ଏନ୍ଏନ୍ଏସ୍: ପାକିସ୍ତାନ ନିରଜ ଖରାପ ପ୍ରକୃତିରୁ ଓହରିପାରୁ ନାହିଁ। ଅନୁପ୍ରବେଶରେ ବିଫଳ ହେବା ପରେ ଜମ୍ମୁ କଶ୍ମୀରରେ ଗତ କିଛି ମାସ ହେବ ଡ୍ରୋନ ଗତିବିଧି ଦେଖାଯାଉଛି। ଜମ୍ମୁର ସାମ୍ବାରେ ରବିବାର ୪ ସନ୍ଦିଗ୍ଧ ଡ୍ରୋନ ଦୃଶ୍ୟମାନ ହୋଇଛି। ଏହି ଡ୍ରୋନ କଡ଼ା ସୁରକ୍ଷା ଭିତରେ ଥିବା ସେନା ଶିବିର ନିକଟରେ ଦେଖାଯାଇଛି। ସାମ୍ବାରେ ଲଗାତାର ୨ୟ ଦିନ ଡ୍ରୋନ ଗତିବିଧି ଦେଖାଯାଇଛି। ଏହା ପୂର୍ବରୁ ଶନିବାର ମଧ୍ୟ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଡ୍ରୋନ ଉଡୁଥିବାର ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଡ୍ରୋନ ଉଡୁଥିବାର ଦେଖିଥିଲେ।

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଜମ୍ମୁ କଶ୍ମୀରର ପୁଲିସ ଯବାନ ରବିବାର ବଡ଼ ବ୍ରହମନାର ବୀରପୁର, ବିସ୍ନାହରୋଡରେ ୧୫୭ଟି ଶିବିର ନିକଟ, ଶିଳ୍ପାଂଚଳ ଏବଂ ପେଟ୍ରୋଲ ପମ୍ପ ନିକଟରେ ଡ୍ରୋନ ଉଡୁଥିବା ଦେଖିଥିଲେ। ଯବାନମାନେ ଡ୍ରୋନକୁ ଖସାଇବା ପାଇଁ ଗୁଳି କରିଥିଲେ। କିନ୍ତୁ ଏହି ଡ୍ରୋନ ରେଂଜ ବାହାରେ ଉଡୁଥିଲା।

ରାତି ପ୍ରାୟ ସାଢ଼େ ୯ଟାରେ ଡ୍ରୋନ ଦେଖାଯାଇଥିଲା। ଏହା ପାଖାପାଖି ୫୦୦ ମିଟର ଉଚ୍ଚରେ ଉଡୁଥିଲା। ଡ୍ରୋନର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ୨ରୁ ୩ ମିନିଟ ଉଡିବା ପରେ ଡ୍ରୋନ ଉଭାନ ହୋଇଯାଇଥିଲା।