ଦେବଗଡ଼,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଉଦ୍ୟମରେ କିନ୍ନରମାନଙ୍କ ଅର୍ଥନୈତିକ ବିକାଶ ନିମନ୍ତେ ବହୁମୁଖୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। କିନ୍ନରମାନଙ୍କୁ ପ୍ରମାଣପତ୍ର ଓ ପରିଚୟପତ୍ର ନିମନ୍ତେ କେନ୍ଦ୍ରସରକାର ଅନଲାଇନ ମାଧ୍ୟମରେ ଏହାପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା କରିଛନ୍ତି । ଏହି କ୍ରମରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଅନୁମୋଦନ କରି ଦେବଗଡ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ଖୁଲୁଣ୍ଡିକୁଦର ଗ୍ରାମର ଗିରିଧାରୀ କିଶାନଙ୍କୁ ବାରକୋଟ ବ୍ଲକର ପ୍ରଥମ କିନ୍ନର ଭାବରେ ପ୍ରମାଣପତ୍ର ଓ ପରିଚୟପତ୍ର ପାଇବାକୁ ଯୋଗ୍ୟ ବିବେଚିତ କରିଛନ୍ତି । କିନ୍ନରମାନଙ୍କୁ ଅନଲାଇନ ମାଧ୍ୟମରେ ଆବେଦନ କରି ଭତ୍ତା ନିମନ୍ତେ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଦେବଗଡ଼ ପୌରାଞ୍ଚଳର ଲିଟୁ କାରିଗରଙ୍କୁ ପ୍ରଥମ କିନ୍ନର ଭାବରେ ଭତ୍ତା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସମସ୍ତ ଯୋଗ୍ୟ କିନ୍ନରଙ୍କୁ ପ୍ରମାଣ ପତ୍ର, ପରିଚୟ ପତ୍ର ତଥା ଭତ୍ତା ପ୍ରଦାନ ସହ ସେମାନଙ୍କର ବହୁମୁଖୀ ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧୀର କୁମାର ନଇ ପ୍ରକାଶ କରିଛନ୍ତି ।