ଭିଏନାରେ ଆତଙ୍କୀ ହମ୍‌ଲା, ଅଷ୍ଟ୍ରିଆସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆଲର୍ଟ ଜାରି

ଭିଏନା,ଏଜେନ୍ସି: ସୋମବାର ଅଷ୍ଟ୍ରିଆର ରାଜଧାନୀ ଭିଏନା ଠାରେ ଆତଙ୍କବାଦୀ ଆକ୍ରମଣ ପରେ ସେଠାରେ ରହୁଥିବା ଭାରତୀୟ ସମୁଦାୟଙ୍କ ଲାଗି ଭାରତୀୟ ଦୂତାବାସ ଆଲର୍ଟ ଜାରି କରାଯାଇଛି । ଏହି ଆକ୍ରମଣରେ ସମ୍ପୃକ୍ତ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ ବନ୍ଧୁକଧାରୀ ଆକ୍ରମଣକାରୀମାନେ ଫେରାର ହୋଇଯାଇଛନ୍ତି । ସୋମବାର ସଂଧ୍ୟାରେ କେନ୍ଦ୍ରୀୟ ଭିଏନାରେ ଏକାଧିକ ବନ୍ଧୁକଧାରୀ ଗୁଳି ବର୍ଷଣ କରିବାରୁ ୪ ଜଣ ବ୍ୟକ୍ତି ନିହତ ହେବା ସହ ୧୫ ଜଣ ଆହତ ହୋଇଥିଲେ । ଏହି ଆକ୍ରମଣକାରୀମାନଙ୍କର ଇସ୍‌ଲାମିକ୍ ଷ୍ଟେଟ୍ ସହ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଭିଏନାରେ ଥିବା ଭାରତୀୟ ସମୁଦାୟଙ୍କ ସୁରକ୍ଷା ନିମନ୍ତେ ଆମେ ସରକାରୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖିଛୁ । ଫେରାର ଆତଙ୍କବାଦୀମାନେ ବୁଲୁଥିବା ସନ୍ଦେହ ହେଉଥିବାରୁ ସମସ୍ତେ ସତର୍କ ରୁହନ୍ତୁ । ଭିଏନା ଆକ୍ରମଣ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନୂଆଦିଲ୍ଲୀ ସ୍ଥିତ ଅଷ୍ଟ୍ରିଆ ଦୂତାବାସକୁ ମଧ୍ୟ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଅଷ୍ଟ୍ରିଆର ରାଜଧାନୀ ଭିଏନାର ୬ଟି ସ୍ଥାନରେ ଏକାଧିକ ଆତଙ୍କବାଦୀ ଗୁଳି ଚଳାଇଥିଲେ । ସେଥିରୁ ଗୋଟିଏ ସ୍ଥାନ ହେଉଛି ଈହୁଦୀ ଉପାସନାସ୍ଥଳ ନିକଟରେ ଥିବା ଜନବସତି ଅଞ୍ଚଳ । ଜଣେ ୨୦ ବର୍ଷୀୟ ଆକ୍ରମଣକାରୀଙ୍କୁ ପୁଲିସ ଗୁଳି କରି ହତ୍ୟା କରିଛି ।