ବାତ୍ୟା ତାଉ’ତେର ତାଣ୍ଡବ: ସମୁଦ୍ରରେ ବୁଡିଲା ଓଏନଜିସି ଜାହାଜ, ୯୦ ନିଖୋଜ

ମୁମ୍ବାଇ,ଏଜେନ୍ସି: ସାମୁଦ୍ରିକ ଝଡ ତାଉ’ତେର ପ୍ରଭାବରେ ମୁମ୍ବାଇ ନିକଟରେ ଓଏନଜିସିର ଏକ ଜାହାଜ ବୁଡି ଯାଇଛି। ତେବେ ଏହି ଜାହାଜରେ ୨୭୦ ଜଣ କର୍ମୀ ଥିଲେ। ସେମାନଙ୍କ ମଧ୍ୟରୁ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ଗୁଜୁରାଟ ନିକଟରେ ବାତ୍ୟା ସ୍ଥଳଭାଗକୁ ଛୁଇଁଥିଲା ବେଳେ ଏହାର ତାଣ୍ଡବ ଦକ୍ଷିଣ ଭାରତରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି।

ବାତ୍ୟା ତାଉ’ତେ ସ୍ଥଳ ଭାଗ ଛୁଇଁବା ପରଠାରୁ ଏପର୍ଯ୍ୟନ୍ତ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଓଏନଜିସି ଜାହାଜର କର୍ମୀମାନେ ଅଫଶୋର ଡ୍ରିଲିଂରେ ମୁତୟନ ହୋଇଥିଲେ। ବାତ୍ୟା ତାଉ’ତେର ପ୍ରଭାବରେ ଜାହାଜ ନିଜର ନିୟନ୍ତ୍ରଣ ହରାଇ ବୁଡିଯାଇଥିବା କୁହାଯାଉଛି।

ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନା ପକ୍ଷରୁ ୩ଟି ଯୁଦ୍ଧ ଜାହାଜ ମୁତୟନ ହୋଇଛି। ଏଥି ମଧ୍ୟରେ ଦୁଇଟି ମୁମ୍ବାଇ ନିକଟରେ ଥିବା ବେଳେ ଅନ୍ୟଟି ଗୁଜୁରାଟ ଉପକୂଳରୁ ଆସିଛି। ଓଏନଜିସି ପକ୍ଷରୁ ନିଜର ବ୍ୟକ୍ତିଗତ ବୋଟ ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କୁହାଯାଇଛି। ବାତ୍ୟାର ପ୍ରଭାବରେ ଅଶାନ୍ତ ସମୁଦ୍ର ଏବଂ ବର୍ଷା ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବା କୁହାଯାଇଛି।