ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା, କରୋନାରେ ମୃତ୍ୟୁବରଣ କଲେ ପରିବାରକୁ ମିଳିବ ଚାକିରି

ମଧ୍ୟପ୍ରଦେଶ,ଏଜେନ୍ସି: କରୋନାର ଦ୍ୱିତୀୟ ଲହର ଆତ୍ମଘାତୀ ସାବ୍ୟସ୍ତ ହୋଇଥିବାବେଳେ ମଧ୍ୟପ୍ରଦେଶ ସରକାର ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରରେ ଜଣଙ୍କୁ ଚାକିରି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଏଥିସହିତ ମୃତକଙ୍କ ପରିବାରକୁ ସହାୟତା ରାଶି ବାବଦରେ ୫ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି ସେ ଜଣାଇଛନ୍ତି। କରୋନାରେ ରାଜ୍ୟର ଅନେକ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟୁଛି। ପୀଡ଼ିତ ପରିବାରଙ୍କୁ ସହାୟତା ନିମନ୍ତେ ‘ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ଅନୁକମ୍ପା ନିଯୁକ୍ତି’ ଓ ‘ମୁଖ୍ୟମନ୍ତ୍ରୀ କୋଭିଡ-୧୯ ବିଶେଷ ଅନୁଗ୍ରହ’ ନାମକ ଦୁଇଟି ଯୋଜନାର ଶୁଭାରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କର୍ମଚାରୀମାନେ ହେଉଛନ୍ତି ରାଜ୍ୟ ଶାସନର ଅବିଚ୍ଛେଦ୍ୟ ଅଙ୍ଗ। ସମସ୍ତ କର୍ମଚାରୀ କୋଭିଡ୍ ସମୟରେ ନିଜର ଦାୟିତ୍ୱ ନିଷ୍ଠାର ସହ ସମ୍ପାଦନ କରୁଛନ୍ତି। ଅନେକ ପରିବାର ନିଜର ଆତ୍ମୀୟସ୍ୱଜନଙ୍କୁ କରୋନାରେ ହରାଇଛନ୍ତି। ଜନତାଙ୍କ ସେବା ପାଇଁ ଏହି ଦୁଇଟି ଯୋଜନା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।