ବ୍ରାଉନ୍‌ସୁଗାର ସହିତ ଜଣେ ଗିରଫ, ବାଇକ୍ ଜବତ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଜବତ ହୋଇଛି ବ୍ରାଉନସୁଗାର। ଏହି ଘଟଣା ଜିଲ୍ଲା ପାଇଁ ପ୍ରଥମ ହୋଇଥିବା ବେଳେ ଏହାକୁ ନେଇ ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ଟାଉନଥାନା ପୁଲିସ୍ ଜଣେ ବ୍ରାଉନସୁଗାର ବେପାରୀ ଠାରୁ ଖୋର୍ଦ୍ଧା ଅଞ୍ଚଳରୁ ଫୁଲବାଣୀ ସହରକୁ ଚାଲାଣ ବେଳେ ସ୍ଥାନୀୟ ପେଞ୍ଜିସାହି ନିକଟରୁ ଜବତ କରିଛି। ଏକ ଜରି ପୁଡ଼ିଆରେ ୩.୫୯୦ ମିଲି ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହିତ ତା ନିକଟରୁ ଏକ ହଳଦିଆ ରଙ୍ଗର ଦାମି ଗାଡ଼ି ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଟାଉନଥାନା ଅନ୍ତର୍ଗତ ୧୨ ନମ୍ବର ୱାର୍ଡ଼ର ଫରେଷ୍ଟ୍ର କଲୋନୀ ନିକଟରେ ରହୁଥିବା ସପନ କୁମାର ମହାପାତ୍ର (୨୫) ବୋଲି ଏସ୍‌ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି।

ରବିବାର ଖୋର୍ଦ୍ଧାରେ ୪ ଜଣ ବ୍ରାଉନସୁଗାର ବେପାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣା ପରେ ପୁଲିସ୍ ବିଭିନ୍ନ ଅଞ୍ଚଳକୁ ଥିବା ଲିଙ୍କ୍‌ ଖୋଜିବା ଆରମ୍ଭ କରିଛି। ତେବେ ଦୀର୍ଘ ଦିନ ହେଲା ବ୍ରାଉନସୁଗାର ଚାଲାଣରେ ସମ୍ପୃକ୍ତ ଥିବା କୁହାଯାଉଥିବା ଗିରଫ ସପନ ମହାପାତ୍ର ରାତାରତି ଜବତ ବ୍ରାଉନସୁଗାର ନେଇ ଫୁଲବାଣୀକୁ ଏକ ବାଇକ୍ ନମ୍ବର (ଓଡ଼ି-୧୨ଏ-୪୧୧୪)ରେ ଫୁଲବାଣୀ ଆସୁଥିବା ବେଳେ କୌଣସି ପ୍ରକାର ଖବର ପାଇଁ ଟାଉନ୍ ପୁଲିସ୍ ସକାଳ ପ୍ରାୟ ୫ଟା ସମୟରେ ପେଞ୍ଜି ସାହୁ ଛକରେ ସପନକୁ ଅଟକାଇବା ସହିତ ତାହାର ତଲାସି ନେଇଥିଲେ।

ତଲାସି ବେଳେ ଏକ ଛୋଟ ଜରି ପୁଡ଼ିଆରେ ବ୍ରାଉନ ସୁଗାର ଥିବା ଜାଣିପାରି ତାହାକୁ ଜବତ କରିଥିଲେ। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏନେଇ ପୁଲିସ୍ କେସ୍‌ ନଂ ୧୦୩/୨୨ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଫୁଲବାଣୀ ସହରରେ ବ୍ରାଉନସୁଗାର ଜବତ ହେବା ଘଟଣା ପ୍ରଥମ ବୋଲି ଜଣାଯାଇଥିଲେ ମଧ୍ୟ ଗିରଫ ଅଭିଯୁକ୍ତକୁ ପଚରାଉଚରା ପର ଦୀର୍ଘ ଦେଢ ବର୍ଷ ହେଲା ଏଭଳି କାର୍ଯ୍ୟରେ ସେ ଲିପ୍ତଥିବା ପୁଲିସ୍ ତାହାର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।