ମୃତ ବ୍ୟକ୍ତିଙ୍କ ଟଙ୍କା ଖାଇଗଲେ ଜିଆର୍‌ଏସ୍‌ ଓ ଗାଁ ସାଥି, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ

ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର ଦାଦନ ରୋକିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ କାମ ଯୋଗାଇବା ସହ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଉଥିବା କହୁଛନ୍ତି, ହେଲେ ଯୋଜନା ସବୁ ଫେଲ ମାରିଛି। କେତେବେଳେ ମେସିନ ଭରଷାରେ ସରପଞ୍ଚ, ଜିଆର୍‌ଏସ୍‌ ମାଲେମାଲ ହେଉଛନ୍ତି ତ ଆଉ କେତେବେଳେ ମୃତ ବ୍ୟକ୍ତିଙ୍କ ନାଁ’ରେ ଟଙ୍କା ଜମାକରି ମାଲେମାଲ ହେଉଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ କରମତଲା ପଞ୍ଚାୟତରୁ। ଅଭିଯୋଗ ମୁତାବକ, କରମତଲା ପଞ୍ଚାୟତ ଲିମପଡା ନିକଟସ୍ଥ ମୁଗୁରମୁଣ୍ଡା ପୋଖରିର ଉନ୍ନତିକରଣ ପାଇଁ ୨୦୨୧-୨୨ ମସିହାରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି କାମକୁ ଗାଁ ସାଥି କିମ୍ବା ପଞ୍ଚାୟତ ପ୍ରଶାସନ ନିଜେ ନକରି କିଛି ଟଙ୍କାରେ କାମକୁ ବିକ୍ରିକରି ନିଜ ଅଞ୍ଚଳର ଜଣେ ଠିକାଦାରଙ୍କ ଜରିଆରେ କରାଯାଇଛି।

କାମର କୌଣସି ସୂଚନା ଫଳକ ନଥିବା ବେଳେ ଆହୁରି ସନ୍ଦେହ ସୃଷ୍ଟି ହୋଇଛି। ୫୨୩ ଶ୍ରମ ଦିବସ ସୃଷ୍ଟି କରି ୧ ଲକ୍ଷ ୧୭ ହଜାର ୨୧୬ ଟଙ୍କା ଜବ କାର୍ଡଧାରୀ ବିଭିନ୍ନ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଗତ ୨୭ ମେ’ ୨୦୨୨ ତାରିଖ ଦିନ ଜମା ହୋଇଛି। ତେବେ ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ କିପରି ଟଙ୍କା ଜମା ହୋଇଛି ତାହା ଆଲୋଚନାର ବିଷୟ ପାଲଟିଛି।ଲିମପଡା ଗ୍ରାମର ସାରଦା ରଣାଙ୍କ ସ୍ତ୍ରୀ ଫଟୁ ରଣାଙ୍କ ମଧ୍ୟ ଦେଢ ବର୍ଷ ତଳେ ମୃତ୍ୟୁ ହୋଇସାରିଛି। କିନ୍ତୁ ତାଙ୍କର ନାମରେ ମଧ୍ୟ ଜବକାର୍ଡ ତିଆରି ହୋଇ ଏଥିରେ କାମ କରାଯାଇଥିବା ଦର୍ଶାଯାଇଛି।

ମୃତ ଫଟୁ ରଣା ପୋଖରିର ଉନ୍ନତିକରଣ ପାଇଁ ଦୁଇ ସପ୍ତାହ କାମ କରିଥିବା ଦର୍ଶାଇ ୨୬୬୪ ଟଙ୍କା ପାଉଣା ସଇଁନ୍ତଲା ସ୍ଥିତ ୟୁନିୟନ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଥିବା ପାସବୁକରେ ଜମା ହୋଇଛି। କିନ୍ତୁ ୨୦ରୁ ୨୫ ହଜାର ଭିତରେ କାମ ହୋଇଥିବା ବେଳେ ଲକ୍ଷ ଟଙ୍କା ଉଠାଯାଇଛି। ଶ୍ରମିକ କାମ କରୁନଥିବା ବେଳେ ହଜାର ହଜାର ଟଙ୍କା ତାଙ୍କର ନାଁରେ ଉଠୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ପଞ୍ଚାୟତରେ ମନରେଗା କାମରେ ବାରମ୍ବାର ଏଭଳି ହେଉଥିବା ବେଳେ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏନେଇ ସଇଁନ୍ତଲା ବିଡିଓ ଚନ୍ଦ୍ରମଣୀ ନାଗଙ୍କୁ ପଚାରିବାରୁ ଏପିଓ ବନଜାବାସିନୀ ଦାସଙ୍କୁ ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।