ମୟୂର ଶିକାର ଅଭିଯୋଗରେ ଯୁବକ ଗିରଫ: ଦେଶୀ ବନ୍ଧୁକ ଓ ମୟୂର ପୁଚ୍ଛ ଜବତ

ଦେବଗଡ଼,ଏନ୍ଏନ୍ଏସ୍: ମୟୂର ଶିକାର ଅଭିଯୋଗରେ ବନବିଭାଗ କର୍ତ୍ତୃପକ୍ଷ ଜଣେ ଶିକାରୀକୁ ଗିରଫ କରିଛି। ଏଥି ସହ ତା ନିକଟରୁ ଏକ ଦେଶୀ ବନ୍ଧୁକ ଓ ମୟୂର ପୁଚ୍ଛ ଜବତ କରିଛି। ଅଭିଯୁକ୍ତ ଜଣଙ୍କ ନ୍ୟୁ-କଦଳୀପାଳ ଗ୍ରାମର ଲିଙ୍ଗରାଜ ପେଣ୍ଠେଇ(୪୦)। ସୂଚନା ଅନୁଯାୟୀ ଗତ ୧୫ ତାରିଖ ଦିନ ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳର ଦନ୍ତାରୀବାହାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ନ୍ୟୂ-କଦଳୀପାଳ ଗ୍ରାମ ନିକଟସ୍ଥ ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରୁ ଲିଙ୍ଗରାଜ ଏକ ମୟୂର ଶିକାର କରିଥିଲା। ଏହି ଘଟଣାର ଦୃଶ୍ୟଟି ଜଙ୍ଗଲ ମଧ୍ୟରେ ଖଞ୍ଜାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଯାଇଥିଲା।

ଟ୍ରାପ କ୍ୟାମେରାରେ ରହିଥିବା ଫଟୋ ଚିହ୍ନଟ ହେବାପରେ ଗତକାଲି ତାକୁ ବନ ବିଭାଗ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରିଥିଲା। ପଚରାଉଚରା ସମୟରେ ଲିଙ୍ଗରାଜ ନିଜର ଦୋଷ ସ୍ୱୀକାର କରିବାରୁ ତା ନିକଟରୁ ମୟୂର ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଓ ମୟୂର ପୁଚ୍ଛ ଜବତ କରାଯିବା ସହ ତାକୁ ଗିରଫ କରାଯାଇଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଦନ୍ତାରୀବାହାଳ ଫରେଷ୍ଟର ପ୍ରସନ୍ନ କୁମାର ମିଶ୍ର ସୂଚନା ଦେଇଛନ୍ତି।