ମମତାଙ୍କୁ ଆଉ ଏକ ଝଟକା, ଦଳଛାଡ଼ି ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ଆଉ ଏକ ଝଟକା ଲାଗିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଅଳ୍ପ କିଛି ମାସ ବାକି ରହିଥିବାବେଳେ ବିଧାୟକମାନେ ଟିଏମସି ଛାଡ଼ୁଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାୟକ ଦୀପକ ହାଲଦାର ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

ପଶ୍ଚିମବଙ୍ଗର ବରୁଇପୁରରେ ଏକ ସାଧାରଣ ସଭାରେ ଦୀପକ ବିଜେପିରେ ଯୋଗଦେଇଛନ୍ତି। ପୂର୍ବରୁ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ଏବଂ ମୁକୁଲ ରାୟଙ୍କ ଉପସ୍ଥିତିରେ ସେ ବିଜେପି ହାତ ଧରିଛନ୍ତି। ବିଗତ ଦେଢ଼ମାସ ମଧ୍ୟରେ ଟିଏମସିର ୧୧ ବିଧାୟକ ଦଳ ଛାଡ଼ିଥିବାବେଳେ ଏହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ତେବେ ଦୀପକ ଦଳ ଛାଡ଼ିବା ପଛରେ ଟିଏମସିକୁ ଦାୟୀ କରିଛନ୍ତି। ଦଳୀୟ ନେତୃତ୍ଵ ସେମାନଙ୍କୁ ଲୋକଙ୍କ ପାଇଁ କାମ କରିବାକୁ ସୁଯୋଗ ଦେଉ ନଥିବା ଦୀପକ ଅଭିଯୋଗ କରିଛନ୍ତି। ଦୀପକ କହିଛନ୍ତି ଯେ, ସେ ଦୁଇ ଥର ବିଧାୟକ ନିର୍ବାଚିତ ହେଲେଣି। କିନ୍ତୁ ୨୦୧୭ ପରଠାରୁ ତାଙ୍କୁ ଜନତାଙ୍କ ପାଇଁ ଠିକ୍‌ ଭାବେ କାମ କରିବାକୁ ସୁଯୋଗ ଦିଆଯାଉ ନାହିଁ। ସେଥିଲାଗି ସେ ଦଳ ଛାଡ଼ୁଥିବା କହିଛନ୍ତି।