କରୋନାରେ ଆଉ ଜଣେ ବିଚାରାଧୀନ କଏଦୀ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ଜେଲ ଅନ୍ତେବାସୀ ତଥା କଏଦୀମାନଙ୍କ ପାଇଁ କାଳ ସାଜିଛି କରୋନା। ରାଜ୍ୟର ପ୍ରମୁଖ ଜେଲ ଗୁଡିକରୁ ଶତାଧିକ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଜଣେ ବିଚାରାଧୀନ କଏଦୀଙ୍କ କରୋନାରେ ମୃତ୍ୟୁ ହୋଇଛି।

ଝାରପଡା ଜେଲରେ ବିଚାରାଧୀନ କଏଦୀ ତ୍ରିପତି ମହାନ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେ ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତ୍ରିପତି ଏକ ନିଶା କାରବାରରେ ଜେଲ ଦଣ୍ଡ ଭୋଗୁ ଥିବା ବେଳେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିବା ଜେଲ୍ ଡିଆଇଜି ସୂଚନା ଦେଇଛନ୍ତି।

ଜେଲ ଗୁଡିକରେ ସଂକ୍ରମଣ ବ୍ୟାପିବା ଏବେ ଜେଲ ଅନ୍ତେବାସୀଙ୍କ ପାଇଁ ଭୟ ବଢାଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଜେଲ କଏଦୀ ମାନଙ୍କ ସୁରକ୍ଷା ପାଇଁ ସେଭଳି କିଛି ବ୍ୟବସ୍ଥା କରାଯାଇ ନାହିଁ।