କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ପରଲୋକ

କ.ନୂଆଗାଁ,ଫୁଲବାଣୀ,ଏନ୍ଏନ୍ଏସ୍: କୋଭିଡ ଲଢେଇରେ ପ୍ରାଣ ହରାଇଲେ ଆଉ ଜଣେ କରୋନା ଯୋଦ୍ଧା। କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ବ୍ଲକ୍ ସାମ୍ବାଦିକ ତଥା ନିତିଦିନର ବ୍ଲକ୍ ଏଜେଣ୍ଟ ସୁଦାମ ଚରଣ ନାୟକଙ୍କ ରବିବାର ସକାଳେ ପୁଲବାଣୀ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ସ୍ୱର୍ଗତ ସୁଦାମଙ୍କ ମୃତ୍ୟୁବେଳକୁ ୫୫ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ସେ ଗତ ମାସ ୨୫ ତାରିଖରେ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ନମୂନା ପଜିଟିଭ ବାହାରିବା ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ ସେଠାରେ ତାଙ୍କ ପରଲୋକ ଘଟିଛି। ସ୍ୱର୍ଗତ ସୁଦାମଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି। ବଡପୁଅ ଗୋପାଳକୃଷ୍ଣ ଅଟୋ ଚଳାଉଥିବା ବେଳେ ସାନପୁଅ ବାଳକୃଷ୍ଣ ଏକ ଦୋକାନ କରିଛନ୍ତି। ଏକମାତ୍ର ଝିଅ ହରପ୍ରିୟା ନର୍ସିଂ ତାଲିମ ନେଇ ଘରେ ଅଛନ୍ତି। ତାଙ୍କ ମୃତ୍ୟୁରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ସୁଦାମଙ୍କ ବିୟୋଗରେ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି। ସ୍ୱର୍ଗତ ସୁଦାମ କ.ନୂଆଗାଁ ପାଣକୁଳ ସମାଜର ବ୍ଲକ୍ ସଭାପତି ମଧ୍ୟ ଥିଲେ। ଆଜି କ.ନୂଆଗାଁ ପ୍ରଶାସନ ପକ୍ଷରୁ କୋଭିଡ଼୍ ନିୟମ ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।