ବାଲିଗୁଡା,ଏନ୍ଏନ୍ଏସ୍: ବାରମ୍ବାର ନେହୁରା ହୋଇଥିଲେ ବି ପାଣି ସମସ୍ୟା କେହିବି ଶୁଣିଲେନି। ବର୍ଷ ବର୍ଷ ବିତିଗଲା। ପ୍ରଶାସନ କି ଜନପ୍ରତିନିଧି କେହି କିଛି କଲେନି। ଗୁହାରି କରିବା ବହୁତ ହୋଇଗଲା ଆଉ ନୁହେଁ, ’ ଏହିଭଳି ଏକ ସଂକଳ୍ପ ନେଇ ପାଣି ପାଇଁ ଅଣ୍ଟା ଭିଡ଼ିଛନ୍ତି ୪ ଆଦିବାସୀ ପଡ଼ାର ୮୦ ପରିବାରର ଲୋକେ। କାହା ଉପରେ ନିର୍ଭର ନକରି ମୁଣ୍ଡଖଟାଇ ନିଜେ କୌଶଳ ବାହାର କଲେ, ଆଉ ତାକୁ କାର୍ଯ୍ୟରେ ବି କରି ଦେଖାଇଲେ। ଶେଷରେ, ଦୁଇ କିଲୋମିଟର ପାହାଡ଼ ଉପରୁ ଗାଁକୁ ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଛନ୍ତି। ପାନୀୟଜଳ ମୁନ୍ଦାଏ ପାଇବା ପରେ ଆଜି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।
ଏହାହେଉଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ର ଦୁର୍ଗମ ସୋନପୁର ପଞ୍ଚାୟତର ଅପହଞ୍ଚ ଦବେଡ଼ି ରାଜସ୍ୱ ଗ୍ରାମର ଡୁଗେଟମାହା, ବିନ୍ଧାଣି ସାହି, ପଦାସାହି ଓ ଛକସାହି ଭଳି ୪ଟି ପଡ଼ା ଗ୍ରାମର ଘଟଣା। ଏହି ୪ ପଡ଼ା ଗ୍ରାମରେ ରହିଥିବା ବହୁ ପୁରାତନ ଦୁଇଟି କୂଅ ଓ ବହୁବର୍ଷ ପୂର୍ବେ ବସିଥିବା ୩ଟି ନଳକୂଅ କେବେଠୁ ଅଚଳ ହୋଇପଡ଼ିଛି। କୂଅପାଣି ଆଉ ବ୍ୟବହାର ଯୋଗ୍ୟ ହୋଇପାରୁନି। ଏହାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ୍ ପ୍ରଶାସନକୁ ବର୍ଷ ବର୍ଷ ଧରି ଗୁହାରି କରୁଥିଲେ ମଧ୍ୟ, ଏହି ଗୁହାରି କାହାର କାନରେ ପଡ଼ିଲାନି। ଓଲଟି ଗ୍ରାମବାସୀ ବର୍ଷ ତମାମ ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିଲେ। ଏହି ଚାରିପଡ଼ା ଗ୍ରାମରେ ଆଦିବାସୀ ଓ ହରିଜନ ସଂପ୍ରଦାୟର ୮୦ ପରିବାର ରହୁଛନ୍ତି। ଯାହାକି ପାଖାପାଖି ୪୦୦ ଜଣ ହେବେ। ରୋଷେଇ ଠାରୁ ଆରମ୍ଭ କରି ପିଇବା, ଗାଧୋଇବା ଓ ଲୁଗାପଟା ସଫା କରିବା ପାଇଁ ଦୂରରେ ଥିବା ନାଳ ଓ ଚୁଆ ପାଣି ଉପରେ ନିର୍ଭର କରନ୍ତି।
