କରୋନା ପାଇଁ ଜେଇଇ ଆବେଦନ କରିପାରିନଥିବା ଛାତ୍ରଛାତ୍ରୀଙ୍କୁ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ,ଏଜେନ୍ସି: ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଏପ୍ରିଲ୍‌ ଓ ମେ’ ମାସରେ ସ୍ଥଗିତ ହୋଇଥିବା ଏହି ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଘୋଷଣା କରିଛନ୍ତି।

କରୋନା ଯୋଗୁ ଯେଉଁ ଛାତ୍ରୀଛାତ୍ରମାନେ ଆବେଦନ କରିପାରିନାହାନ୍ତି ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି। ତୃତୀୟ ସେସନ୍‌ ପାଇଁ ଜୁଲାଇ ୬ରୁ ୮ ତାରିଖ ଏବଂ ଚତୁର୍ଥ ସେସନ୍‌ ଲାଗି ଜୁଲାଇ ୯ରୁ ୧୨ ତାରିଖ ଭିତରେ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଏହି ସମୟରେ ପୂର୍ବରୁ ଆବେଦନ କରିଥିବା ପ୍ରାର୍ଥୀମାନେ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ବଦଳାଇପାରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।

ଜେଇଇ ମେନ୍‌ ୨୦୨୧ର ୪ଟି ପର୍ଯ୍ୟାୟରେ ପରୀକ୍ଷା ହେବାର ଥିଲା। ପୂର୍ବରୁ ଦୁଇଟି ସେସନ୍‌ ଫେବୃଆରୀ ଓ ମାର୍ଚ୍ଚରେ ପରୀକ୍ଷା ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ୬,୨୦,୯୭୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫,୫୬,୨୪୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ।