ଦିଲ୍ଲୀରେ ଚାଞ୍ଚଲ୍ୟ; ପୂର୍ବ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ ଦିଂବଗତ କେନ୍ଦ୍ରମନ୍ତ୍ରୀ ପି ରଙ୍ଗରାଜନ କୁମାର ମଙ୍ଗଳମଙ୍କ ପତ୍ନୀ କିଟ୍ଟୀ କୁମାର ମଙ୍ଗଳମଙ୍କୁ ହତ୍ୟା କରାଯାଇଛି। ବିଳମ୍ବିତ ରାତ୍ରିରେ ତାଙ୍କ ଦିଲ୍ଲୀ ବସନ୍ତ ବିହାର ସ୍ଥିତ ବାସଭବନରେ ଦୁର୍ବୁତ୍ତମାନେ ହତ୍ୟା କରିଛନ୍ତି। ଦିଲ୍ଲୀ ପୁଲିସର ସୂଚନା ଅନୁସାରେ ଘରୁ ଚୋରି ଉଦ୍ଦେଶ୍ୟରେ ପଶିଥିବା ଦୁର୍ବୃତ୍ତ ୭୬ ବର୍ଷୀୟ କିଟ୍ଟୀଙ୍କୁ ହତ୍ୟା କରିଛନ୍ତି। ଘଟଣାର ପ୍ରାଥମିକ ତଦନ୍ତ ଆଧାରରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି ପୁଲିସ। କିଟ୍ଟୀ କୁମାର ମଙ୍ଗଳମଙ୍କ ସ୍ୱାମୀ ପି ରଙ୍ଗରାଜନ କୁମାର ମଙ୍ଗଳମ କିଛି ବର୍ଷ ପୂର୍ବେ କ୍ୟାନସରରେ ମୃତ୍ୟୁବରଣ କରିଥିଲେ।

କିଟ୍ଟୀ କୁମାର ମଙ୍ଗଳମଙ୍କ ଘରେ ସହାୟିକା ଭାବେ କାମ କରୁଥିବା ମହିଳା ଘଟଣା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମଙ୍ଗଳବାର ରାତି ୯ ଟାରେ କପଡା ନେବା ବାହାନାରେ ଧୋବା ଘର କଲିଂ ବେଲ ବଜାଇଥିଲେ। ଗେଟ ଖୋଲିବା ମାତ୍ରେ ଧୋବାଙ୍କ ସହ ୨ ଜଣ ଯୁବକ ଆସିଥିଲେ। ଉଭୟ ଯୁବକ ସହାୟିକାଙ୍କୁ ଅନ୍ୟ ଏକ ରୁମକୁ ନେଇ ବାନ୍ଧିଦେଇଥିଲେ। ପରେ ତକିଆରେ ଚାପି କିଟ୍ଟୀଙ୍କୁ ହତ୍ୟା କରିଥିଲେ। ପୁଲିସ ସୂଚନା ଅନୁସାରେ ରାତି ୧୧ଟାରେ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳକୁ ଆସିଥିଲା। ସହାୟିକାଙ୍କ ସୂଚନାକୁ ଆଧାର କରି ରାତିରେ ହିଁ ଅଭିଯୁକ୍ତ ଧୋବାକୁ ପୁଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଜଣକ ହେଉଛି ୨୪ ବର୍ଷୀୟ ରାଜୁ। ସେ ବସନ୍ତ ବିହାର ଅଞ୍ଚଳରେ ରହୁଥିଲା। ଫେରାର ୨ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଛି। ଖୁବଶୀଘ୍ର ଗିରଫ କରାଯିବ ବୋଲି ବସନ୍ତ ବିହାର ପୁଲିସ ସୂଚନା ଦେଇଛି।