ଡାକ୍ତରଙ୍କ କାର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମଙ୍ଗଳ ବଜାର ଅର୍ବାନ ପିଏଚସିରେ ନିଯୁକ୍ତ ଥିବା ଡାକ୍ତର ମନୋରଞ୍ଜନ କଣ୍ଡରାଙ୍କ କାର ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଓଏମପି ଚେକଗେଟ ନିକଟରେ ରହୁଥିବା ଲଳିନ୍ଦ୍ର ମାଝୀ ଓ ଗୁରୁତର ଜଣକ ହେଉଛନ୍ତି ବେହେରାମାଲ ଅଘରିଆପଡ଼ାର ନରେଶ ରଜକ। ଲଳିନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଆଜି ଅପରାହ୍ଣରେ ଏସପି ଅଫିସ ଛକ ନିଟରେ ମୃତଦେହ ରଖି ଆନ୍ଦୋଳନ କରିଛନ୍ତି। ଘଟଣାସ୍ଥଳକୁ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପ୍ପୋ ଓ ଟାଉନ ଥାନା ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ। ଡାକ୍ତର ଲୋକଙ୍କ ଜୀବନ ରକ୍ଷା କରନ୍ତି ବୋଲି ତାଙ୍କୁ ଲୋକେ ଦ୍ୱିତୀୟ ଭଗବାନ କୁହନ୍ତି। ହେଲେ ଡାକ୍ତର ମନୋରଞ୍ଜନ ମଦ ପିଇ ଗାଡ଼ି ଚାଳନା କରିବା ସହ ଜଣକୁ ଧକ୍କାଦେଇ ଦ୍ରୁତ ଗତିରେ ସେଠାରୁ ଫେରାର ହେବା ସମୟରେ ଆଉ ଜଣକୁ ଧକ୍କା ଦେଇଥିଲେ ବୋଲି ଲୋକେ କହିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିନଥିଲେ ବୋଧହୁଏ ସେ ଆହତଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ସେଠାରୁ ଫେରାର ହୋଇଯାଇ ଥାଆନ୍ତେ। ତେଣୁ ମନୋରଞ୍ଜନଙ୍କୁ ପୁଲିସ ଶୀଘ୍ର ଗିରଫ କରିବା ସହ ଲଳିନ୍ଦ୍ର ଓ ନରେଶଙ୍କ ପରିବାରବର୍ଗଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ୩ ହଜାର ଟଙ୍କା ଓ ଅନ୍ୟାନ୍ୟ ଇନ୍ସୁରାନ୍ସ ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ସହ ଡାକ୍ତରଙ୍କୁ ପୁଲିସ ଅଟକ ରଖିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।

ପ୍ରକାଶଯୋଗ୍ୟ, ଡାକ୍ତର ମନୋରଞ୍ଜନ ତାଙ୍କ ଅଲଟୋ କାର ଯୋଗେ ବେହାରାମାଲ ପଟୁ ଆସି ପ୍ରଥମେ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ଓଏମପି ଚେକଗେଟରେ ନିକଟରେ ରହୁଥିବା ଲଳିନ୍ଦ୍ର ମାଝୀକୁ ଧକ୍କା ଦେଇଥିଲେ। ପରେ ସେଠାରୁ କାରଟିକୁ ଦ୍ରୁତ ଗତିରେ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମୋହନ ହୋଟେଲ ସମ୍ମୁଖରେ ବାଇକରେ ଯାଉଥିବା ବେହେରାମାଲ ଅଘରିଆପଡ଼ାର ନରେଶ ରଜକକୁ ଧକ୍କା ଦେଇଥିଲେ। ତେବେ ସେଠାରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା କାରକୁ କାବୁ କରିବା ସହିତ ଡାକ୍ତରକୁ ଅଟକ ରଖିଥିଲେ। ଘଟଣାସ୍ଥଳରେ ଟାଉନ ପୁଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ନେଇଥିବାବେଳେ ଲଳିନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।