ସଡ଼କ ଦୁର୍ଘଟଣାରେ ଜଣେ ମୃତ: ଜଣେ ଗୁରୁତର

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଓରକେଲ ଥାନା ଅନ୍ତର୍ଗତ ତାର୍ଲାକୋଟା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଏକ ଟ୍ରାକ୍ଟର କୋରୁକୋଣ୍ଡାରୁ ଓରକେଲ ଅଭିମୁଖେ ଯାଉଥିବା ବେଳେ ମାଲକାନଗିରିରୁ ଓରକେଲ ଅଭିମୁଖେ ଯାଉଥିବା ଏକ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ଅନ୍ୟଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ଆହତ ବ୍ୟକ୍ତିଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ବ୍ୟକ୍ତି ଜଣଙ୍କ ଭୀମା ପଡିଆମି ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ତେବେ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି।