ମାଡ଼ିଆସୁଛି ଜାଡ଼, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସାରା ଏବେ ପାଗ ଖରାଟିଆ ରହିବା ସହ ଥଣ୍ଡା କମିଛି । ହେଲେ ଆଉ ଅଧିକ ନୁହେଁ, ଗୁରୁଚାପ ବଳୟ ଉତ୍ତର ଭାରତରୁ ନିଜ ସ୍ଥାନ ପରିବର୍ତ୍ତନ କରି ମଧ୍ୟ ଭାରତ ମୁହାଁଇଛି । ଫଳରେ ରାଜ୍ୟକୁ ପୁଣି ଶୀତଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଉ ୨୪ ଘଣ୍ଟା ଅର୍ଥାତ୍ ରବିବାର ରାତିରୁ ରାଜ୍ୟକୁ ପୁଣି ଶୀତଫେରିବ । ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବାକୁ ଥିବାବେଳେ ଅସହ୍ୟ ଜାଡ଼ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି ।

ବିଭାଗୀୟ ତଥ୍ୟ ମୁତାବକ ଆସନ୍ତା ୮ରୁ ୧୧ ଯାଏ ରାଜ୍ୟରେ ଥଣ୍ଡାର ଲହରୀ ପୁଣି ଅନୁଭୂତ ହେବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡାର ପରିମାଣ ଅଧିକ ଅନୁଭୂତ ହେବ । ସୋମବାର ଅର୍ଥାତ୍ ୮ ତାରିଖ ଦିନ ରାଜ୍ୟର ୭ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳରେ ଅଧିକ ଥଣ୍ଡା ଅନୁଭୂତ ହେବ । ସେହିପରି ୯ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ଅନୁଗଳ, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ବାଲେଶ୍ୱର ଭଦ୍ରକ ଓ ସୋନପୁରରେ ଅଧିକ ଥଣ୍ଡା ପ୍ରବାହ ହେବ । ୧୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ଥଣ୍ଡା ଅନୁଭୂତ ହେବ । ଏନେଇ ସମସ୍ତ ଜିଲ୍ଲାକୁ ଥଣ୍ଡାର ଲହରୀ ପାଇଁ ବିଭାଗୀୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ସମ୍ପୃକ୍ତ ଜିଲ୍ଲାବାସୀ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଇବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷେ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି ହେବା ପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା ସତର୍କ କରାଇଛନ୍ତି । ପ୍ରବଳ ଶୀତକୁ ଆଖି ଆଗରେ ରଖି ଏହି ସମୟରେ ରାତିରେ ଲୋକଙ୍କୁ ବାହାରକୁ ନ ବାହାରିବା ଲାଗି ଏସ୍‌ଆରସି ପରାମର୍ଶ ଦେଇଛନ୍ତି । ସେହିପରି ରାତ୍ରି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରହିବା, ଏକାଧିକ ଶୀତ ବସ୍ତ୍ର ପରିଧାନ କରିବା, ଗୃହ ପାଳିତ ପଶୁମାନଙ୍କ ରହିବା ପାଇଁ ଖୋଲା ସ୍ଥାନ ଅପେକ୍ଷା ଘର ବ୍ୟବସ୍ଥା କରିବା ପ୍ରତି ଧ୍ୟାନ ଦେବା ପାଇଁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପାମତ୍ରା ସ୍ୱାଭାବିକ ରହିଛି । ଫୁଲବାଣୀରେ ସର୍ବନିମ୍ନ ୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ସର୍ବାଧିକ ୩୩.୫ ଡିଗ୍ରୀ ତାପାମତ୍ରା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।