ବାରିପଦା,ଏନ୍ଏନ୍ଏସ୍: ଆଜି ଅପରାହ୍ନରେ ବୈଶିଙ୍ଗା ଥାନା ଅଧୀନ ଡାହିସାହି ଗ୍ରାମର ଖୁଡ଼ୀଶାଶୂ ବିଭୁତି ସିଂଙ୍କ ପତ୍ନୀ ବୁଦ୍ଧୁନୀ ସିଂ ଓ ତାଙ୍କର ପୁତୁରା ବୋହୁ ସଞ୍ଜିତ ସିଂଙ୍କ ପତ୍ନୀ ଗୌରୀ ସିଂ ଜମିରେ ଧାନ ବାଛିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ଉଭୟ ଗୁରୁତର ହୋଇ ଜମିରେ ପଡି ଯାଇଥିଲେ। ଖବରପାଇ ପରିବାର ମୁଖ୍ୟ ରୁପେଇ ସିଂ ଓ ଅନ୍ୟ ଲୋକମାନେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଉଭୟଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଗୌରୀ ସିଂଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଖୁଡ଼ୀଶାଶୂ ବୁଦ୍ଧୁନୀ ସିଂଙ୍କ ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ ପିଆରଏମ ମେଡିକାଲ କଲେଜ ତଥା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମୃତା ଗୌରୀଙ୍କ ବୟସ ୨୫ ବର୍ଷ ହେବ ଓ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି। ଘଟଣାକୁ ନେଇ ବୈଶିଙ୍ଗା ଥାନା ପୁଲିସକୁ ଖବର ଦିଆଯାଇଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।