ବିଧାନସଭା ଖବର, ଶୂନ୍ୟକାଳରେ ଉଠିଲା ନିଯୁକ୍ତି ପ୍ରସଙ୍ଗ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ନିଯୁକ୍ତି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ । ବୁଧବାର ଶୂନ୍ୟକାଳରେ ଉପରୋକ୍ତ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ନିଯୁକ୍ତି ପରିବେଶ ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ନାଏକ କହିଲେ ଯେ ଲକ୍‌ଡାଉନ ସମୟରେ ରାଜ୍ୟକୁ ଲକ୍ଷ ଲକ୍ଷ ଲୋକ ଫେରିଥିବା ବେଳେ ସେମାନଙ୍କୁ ଉପଯୁକ୍ତ କର୍ମସଂସ୍ଥାନ ଯୋଗାଇ ଦିଆଗଲା ନାହିଁ । ବିଗତ ୨୦ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ସୁଯୋଗ ଯୋଗାଇଦେବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ବେଳେ ରାଜ୍ୟରେ ବୈଷୟିକ ଜ୍ଞାନକୌଶଳ ଥିବା ଲୋକେ ନଥିଲେ । ତେଣୁ ବାହାରୁ ଲୋକେ ଆସି ଏଠାରେ କାମ କଲେ । ମାତ୍ର ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଯେତିକି କଳକାରଖାନା ସ୍ଥାପିତ ହେଲା ସେଠାରେ ଓଡ଼ିଆଙ୍କୁ ନିଯୁକ୍ତି ନାହିଁ । ରାଜ୍ୟର ଶିଳ୍ପ ଅନୁଷ୍ଠାନରେ ୮୦ ପ୍ରତିଶତ ଲୋକେ ନିଯୁକ୍ତି ପାଇବାର ଥିଲେ ହେଁ ତାହାର ଅନୁପାଳନ କରାଯାଉ ନାହିଁ । କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ବେଦାନ୍ତକୁ ଉଦାହରଣ ଭାବେ ନିଆଯାଇପାରେ ବୋଲି ସେ କହିଥିଲେ । ରାଜ୍ୟରେ ଦୀର୍ଘ ବେଳାଭୂମି ଅଛି । ସରକାର ଲୁଣ କାରଖାନାଟିଏ କରିପାରିଲେ ନାହିଁ । ସକାଳୁ ଉଠିବା ପରଠାରୁ ଦୈନନ୍ଦିନ ନିତ୍ୟବ୍ୟବହାର ହେଉଥିବା ସାମଗ୍ରୀ ସବୁ ବାହାର ରାଜ୍ୟରୁ ଆସୁଛି । ରାଜ୍ୟରେ ଏଥିପାଇଁ ସରକାର ଗୋଟିଏ ବି କାରଖାନା ବସାଇଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । କଳାହାଣ୍ଡି, ରାୟଗଡ଼ା ଜିଲ୍ଲାର ଉନ୍ନତମାନର କଟନ ଉପଲବ୍ଧି ଅଛି । ଖୋର୍ଦ୍ଧା ଗାମୁଛାର ଲୋକପ୍ରିୟତା ସମସ୍ତେ ଜାଣନ୍ତି । ମାତ୍ର କର୍ମନିଯୁକ୍ତି ଯୋଗାଇଦେବାର ସରକାରଙ୍କର କୌଣସି ଅଭିଳାଷ କିମ୍ବା ଲକ୍ଷ୍ୟ ନାହିଁ । ସେ ଆହୁରି କହିଲେ ଯେ ପିଇବା ପାଣି ପାଇଁ ୧୦ ହଜାର କୋଟି ଟଙ୍କା ପଡ଼ି ରହିଛି । ସେଥିରୁ ମାତ୍ର ୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି । ସରକାର ଉଚିତ୍ ପଦକ୍ଷେପ ନେଲେ ଲଘୁ ଖଣିଜ ସମ୍ପଦରୁ ୭୦ ହଜାର ଟଙ୍କା ପାଆନ୍ତେ । ମାତ୍ର ସରକାରଙ୍କର ଏନେଇ କୌଣସି ଆନ୍ତରିକତା ନାହିଁ । ଏପଟେ ଖୋଲାବଜାରରୁ ୩ ହଜାର କୋଟି ଟଙ୍କା ଋଣ କରିବାକୁ ସରକାର ଯୋଜନା କରିଛନ୍ତି । ତେଣୁ ସରକାର ରାଜ୍ୟରେ କର୍ମନିଯୁକ୍ତି ଯୋଗାଇଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ନାଏକ କହିଥିଲେ ।