କୁମୁଳାବାହାଳି ଗ୍ରାମରେ ସାପ କାମୁଡ଼ାରେ ୨ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କୁମୁଳାବାହାଳି ଗ୍ରାମରେ ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ କୁମୁଳାବାହାଳି ଗ୍ରାମର ମଙ୍ଗୁଳୁ ମୁଣ୍ଡା(୪୫) ଏବଂ ନାବାଳକ ଗୌରାଙ୍ଗ। ସୂଚନା ଅନୁସାରେ, ଗତ ରାତିରେ ଶୋଇଥିବାବେଳେ ମଙ୍ଗୁଳୁଙ୍କୁ ଏକ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଉକ୍ତ ଗ୍ରାମର ଜଣେ ନାବାଳକଙ୍କୁ ବିଷଧର ସାପ କାମୁଡ଼ି ଦେବାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଥାଉକି, ମୃତ ମଙ୍ଗୁଳୁ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ସାପ କାମୁଡିବା ପରେ ପରିବାର ଲୋକଙ୍କୁ କିଛି କହି ପାରିନଥିଲେ । ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଗୁଣିଆ ପାଖକୁ ନେଇଥିଲେ। ଅବସ୍ଥା ଗୁରୁତର ଡାକ୍ତରଖାନା ନେଇଥିଲେ। ତେବେ ବିଳମ୍ବରେ ଡାକ୍ତରଖାନା ନେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି।