ଦ୍ୱିପାକ୍ଷିକ ମହିଳା ଦିନିକିଆ ସିରିଜ : ଇଣ୍ଡିଜଠାରୁ ୧ ରନରେ ହାରିଲା ଭାରତ

ନର୍ଥସାଉଣ୍ଡ,ଏଜେନ୍ସି : ଅଧିନାୟିକା ଷ୍ଟେଫାନି ଟେଲରଙ୍କ ୯୪ ଓ ଓପନର ନତାଶା ମ୍ୟାକଲିନଙ୍କ ୫୧ ରନର ଇନିଂସ୍ ପରେ ଦ୍ରୁତ ବୋଲର ଆନିଷା ମହମ୍ମଦଙ୍କ ୫ ୱିକେଟର ଘାତକ ଇନିଂସ ଯୋଗୁଁ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ମାତ୍ର ୧ ରନରେ ଇଣ୍ଡିଜଠାରୁ ପରାସ୍ତ ହୋଇଛି। ଇଣ୍ଡିଜ ଗସ୍ତରେ ଇଣ୍ଡିଆ ମହିଳା ଦଳ ଗସ୍ତ କରିଥିବା ବେଳେ ଏହାର ପ୍ରଥମ ମ୍ୟାଚ୍ ନର୍ଥସାଉଣ୍ଡରେ ଖେଳାଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ ୫୦ ଓଭରରେ ୨୨୪ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଥିଲା। ଓପନର ପ୍ରିୟା ପୁନିଆ ୭୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏହା ବେକାର ହୋଇଥିଲା।

୨୨୬ ରନର ବିଜୟ ଲକ୍ଷ୍ୟ ନେଇ ଭାରତୀୟ ଓପନିଂ ଯୋଡ଼ି ପ୍ରିୟା ପୁନିଆ ଓ ଜେମିମା ରଡ୍ରିଗ୍ୟୁସ୍ ୭୮ ରନ୍ ସଂଗ୍ରହ କରିଥିଲେ। ଜେମିମା ୪୧ ରନ୍ କରି ଆଉଟ୍ ହୋଇଥିଲେ। ପରେ ପୁନମ୍ ରାଉତ ୨୨ ରନରେ ରନ୍ ଆଉଟ୍ ହୋଇଥିଲେ। ଏହିସମୟ ବେଳକୁ ଭାରତକୁ ବିଜୟ ପାଇଁ ୨୦ ଓଭରରୁ ଆଉ ମାତ୍ର ୧୦୨ ରନ୍ ଆବଶ୍ୟକ ରହିଥିଲା। ପ୍ରିୟା ଧ୍ରେର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋର ୧୭୦ ରନ୍ରେ ପାଭିଲିୟନ୍ ଫେରିଥିଲେ। ଏହିଠାରୁ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଅଧିନାୟିକା ମିତାଲି ରାଜ ୨୦, ଦିପ୍ତୀ ଶର୍ମା ୧୯ ଓ ଝୁଲଣ ଗୋସ୍ୱାମୀ ୧୪³ ରନ୍ ସଂଗ୍ରହ କରିଥିଲେ। ଆଉ କେହି ଦୁଇ ଅଙ୍କ ସ୍କୋର ଛୁଇଁ ନଥିଲେ। ଏକ୍ତା ବିଷ୍ଟ ଓ ପୁନମ୍ ଯଦବଙ୍କ ଡକ୍ କରି ଇଣ୍ଡିଜ ବୋଲର ଆନିଷା ମହମ୍ମଦ ଘରୋଇ ଦଳକୁ ବିଜୟୀ କରାଇଥିଲେ।