‘ଶିଶୁଙ୍କ ପାଇଁ ଦିନଟିଏ’: ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିଆରା ନିର୍ଦ୍ଦେଶ

ଦେବଗଡ଼,ଏନ୍ଏନ୍ଏସ୍: ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯ୍ୟାତନା ଓ ପିତାମାତାଙ୍କ ଦ୍ୱାରା ପରିତ୍ୟକ୍ତ ଆଦି ସାମାଜିକ ପ୍ରଥା ପାଇଁ ଶିଶୁମାନେ ଅସହାୟ ଓ ଅବହେଳିତ ହୋଇ ନିଜ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ପଡ଼ିଥାନ୍ତି। ତେଣୁ ଏପରି ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକୀୟ ଥଇଥାନ ଓ ସେମାନଙ୍କ ଜୀବନକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁଙ୍କ ସୁରକ୍ଷା ଓ ବିକାଶ ପାଇଁ ତ୍ରୟୋମାସିକ ସମୀକ୍ଷା ବୈଠକ ପାଇଁ ଧାର୍ଯ୍ୟ ହୋଇଥିବା ଦିବସକୁ ‘ଶିଶୁଙ୍କ ପାଇଁ ଦିନଟିଏ’ ବୋଲି ନାମିତ କରାଯାଇଛି।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ବିକାଶ ପାଇଁ ବିଭିନ୍ନସ୍ତରରେ ଅନେକ କମିଟି ଓ ଟାସ୍କ ଫୋର୍ସ ଗଠନ ହୋଇଥିଲେ ହେଁ ସେଗୁଡ଼ିକର ନିୟମିତ ବୈଠକ ହୋଇପାରୁ ନଥିବାରୁ ଶିଶୁ ବିକାଶ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ସେଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଇଥିବା ଶିଶୁ ସମ୍ପର୍କିତ ଯୋଜନାର ସଫଳ ରୂପାୟନ, ଅଭିଯୋଗ ଶୁଣାଣି, ବିଭିନ୍ନ ଆଇନର କାର୍ଯ୍ୟକାରିତାର ସମୀକ୍ଷା ପାଇଁ ବିଭିନ୍ନ ସ୍ତରରେ ଗଠିତ ହୋଇଥିବା ଜିଲ୍ଲା ଶିଶୁ ସୁରକ୍ଷା କମିଟି, ବାଲ୍ୟ ବିବାହ ନିଷେଧ ଓ କିଶୋର ସଶକ୍ତିକରଣ ଜିଲ୍ଲା ଓ ବ୍ଲକ ଟାସ୍କ ଫୋର୍ସ କମିଟି, ଶିଶୁ ଶ୍ରମିକ ନିଷେଧ ଜିଲ୍ଲା ଟାସ୍କଫୋର୍ସ କମିଟି, ବ୍ଲକ ଓ ପଞ୍ଚୟତ ଶିଶୁ ସୁରକ୍ଷା କମିଟି ଓ ଚାଇଲ୍ଡଲାଇନ ଏଡଭାଇଜୋରି ବୋର୍ଡର ତ୍ରୟୋମାସିକ ସମୀକ୍ଷା ବୈଠକ ପାଇଁ ଏକ ନିର୍ଦ୍ଦିଷ୍ଟ ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ ହୋଇଛି। ଏହି ଦିବସରେ ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସରକାରୀ ଅଧିକାରୀ, ନିର୍ବାଚିତ ଜନ ପ୍ରତିନିଧି , ସ୍ୱେଛାସେବୀ ଅନୁଷ୍ଠାନ , ଶିଶୁ ମଙ୍ଗଳ କମିଟି , ଜୁଭେନାଇଲ ଜସ୍ଟିସ ବୋର୍ଡ , ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୁଲିସ, ଆଶ୍ରୟ ଗୃହଗୁଡିକର ନିର୍ଦେଶକ ଏକାଠି ବୈଠକ କରି ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ ଓ ଶୁଣାଣୀ କରିବେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର କହିଛନ୍ତି ଯେ, ପଞ୍ଚାୟତସ୍ତରରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଆଇସିଡିଏସ ସୁପରଭାଇଜରଙ୍କ ଆବାହକତ୍ୱରେ ପଞ୍ଚାୟତ ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ପ୍ରତ୍ୟେକ ତ୍ରୟମାସର ଦ୍ୱିତୀୟ ମାସର ୧୦ ତାରିଖ ଦିନ ନିୟମିତ ଭାବରେ ଆୟୋଜିତ ହେବ। ଧାର୍ଯ୍ୟ ତ୍ରୟୋମାସିକ ବୈଠକ ତାରିଖ ଗୁଡ଼ିକ ହେଲା ୧୦ ଫେବୃଆରୀ, ୧୦ ମେ’, ୧୦ ଅଗଷ୍ଟ ଓ ୧୦ ନଭେମ୍ବର। ଅନ୍ୟପଟେ ବ୍ଲକସ୍ତରରେ ବ୍ଲକ ଚେୟାରମ୍ୟାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଓ ସିଡିପିଓଙ୍କ ଆବାହକତ୍ୱରେ ବ୍ଲକ ଶିଶୁ ସୁରକ୍ଷା କମିଟିର ତ୍ରୟମାସିକ ସମୀକ୍ଷା ବୈଠକ ପ୍ରତ୍ୟେକ ତ୍ରୟମାସର ଦ୍ୱିତୀୟ ମାସର ୧୭ ତାରିଖ ଦିନ ଆୟୋଜିତ ହେବ। ଏଥିସହିତ ଜିଲ୍ଲାସ୍ତରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳଙ୍କ ଯୁଗ୍ମ ଅଧ୍ୟକ୍ଷତା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଆବାହକତ୍ୱରେ ୨୫ ତାରିଖକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶିଶୁଙ୍କ ପାଇଁ ଦିନଟିଏ’ ବୋଲି ଘୋଷିତ କରାଯାଇଛି।