ଏକ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,ଜୟପୁର,ଏନ୍ଏନ୍ଏସ୍ : ଜୟପୁର ସଦର ଥାନା ପୁଲିସ୍ ଏକ ବୋଲେରୋ ପିକଅପ୍ ଭ୍ୟାନରୁ ୧ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବାବେଳେ ଚୋରା ଗଞ୍ଜେଇ ଚାଲାଣରେ ବ୍ୟବହୃତ ଭ୍ୟାନ୍ ଓ ସ୍କୁଟିକୁ ଜବତ କରିଛି। ସୂଚନା ଅନୁସାରେ, ଚୋରା ଗଞ୍ଜେଇ ବେପାରୀ ଚନ୍ଦ୍ରୁ ବାଘ ଓ କାର୍ତ୍ତିକ ଲାମା ମାଛକୁଣ୍ଡ ତାନା ଜଲାପୁଟ ଅଞ୍ଚଳରୁ ଗଞ୍ଜେଇ ନେଇ ଅନ୍ୟ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଯୋଜନା ଅନୁଯାୟୀ ଚନ୍ଦ୍ରୁ ଓ କାର୍ତ୍ତିକ ରବିବାର ଏକ ନମ୍ବର ବିହୀନ ବୋଲେରୋ ପିକ୍ ଅପ୍ ଭ୍ୟାନରେ ଗଞ୍ଜେଇ ଲୋଡ୍ କରି ଜୟପୁର-କୋରାପୁଟ ରସ୍ତାର ଘାଟିରେ ଥିବା ଶିବ ମନ୍ଦିର ନିକଟକୁ ନେଇଥିଲେ। ସେଠାରେ ଜୟପୁର ଏକାମ୍ବା ଗ୍ରାମର ଲଳିତ ହରିଜନ ନାମକ ଯୁବକ ନମ୍ବର ନଥିବା ଏକ ସ୍କୁଟି ସହ ପୂର୍ବରୁ ଅପେକ୍ଷା କରି ରହିଥିଲେ। କୌଣସି ସୂତ୍ରରୁ ଖବରପାଇ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ ମହାକୁଡ଼, ସବ-ଇନ୍ସପକ୍ଟର ଏସ୍କେ ପଣ୍ଡା ଓ ଅନ୍ୟମାନେ ସେଠାରେ ପହଞ୍ଚି ବଲେରୋ ଭ୍ୟାନ୍, ସ୍କୁଟିକୁ ଜବତ କରିଥିବାବେଳେ ଭ୍ୟାନରୁ ୧୩୪୪ କେଜି ଗଞ୍ଜେଇ ଜବତ କରିଥିଲେ। ପୁଲିସକୁ ଦେଖି ଅଭିଯୁକ୍ତମାନେ ସ୍କୁଟି, ଭ୍ୟାନ୍ ଓ ଗଞ୍ଜେଇ ଛାଡି ଫେରାର୍ ହୋଇ ଯାଇଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।