କିଭ୍ ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବିସ୍ଫୋରଣ, ରୁଷୀୟ ମିସାଇଲ ଆକ୍ରମଣରେ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ

କିଭ୍‌,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଆହୁରି ଭୟଙ୍କର ହୋଇଛି। ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ଚାରିପଟୁ ଆକ୍ରମଣ କରାଯାଉଛି। ରୁଷିଆର ସ୍ଥଳ ସେନା ଓ ବାୟୁସେନା ବାରମ୍ବାର ୟୁକ୍ରେନ୍ ଉପରେ ଷ୍ଟ୍ରାଇକ୍ କରୁଛନ୍ତି। ରୁଷିଆର ସେନା ୟୁରୋପର ସବୁଠାରୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଆଡ଼କୁ ଅଗ୍ରସର ହେଉଛି। ଆଜି ଅଷ୍ଟମ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ଏହାରି ମଧ୍ୟରେ ହଜାର ହଜାର ସୈନିକ ଓ ନାଗରିକଙ୍କର ମୃତ୍ୟୁ ହୋଇସାରିଛି।

ତେବେ ରୁଷିଆର ସେନା ଆଜି ୟୁକ୍ରେନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବିସ୍ଫୋରଣ କରିଛି। ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଗଣମାଧ୍ୟମ ରିପୋର୍ଟ କରିଛି। ସେହିପରି କୁହାଯାଉଛି ଯେ, ରୁଷିଆର ମିସାଇଲ ଆକ୍ରମଣରେ ଜଣେ ବାଂଲାଦେଶୀ ନାଗରିକଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ୍ ପୋର୍ଟରେ ଥିବା ବାଂଲାଦେଶୀ ଜାହାଜ ଉପରେ ମିସାଇଲ ମାଡ଼ ହୋଇଥିଲା। ୟୁକ୍ରେନ୍ ମିଡିଆ ଅନୁସାରେ ଯେଉଁ ବ୍ୟକ୍ତି ଜାହାଜରେ ଥିଲେ, ସେ ଜଣେ ବାଂଲାଦେଶୀ ନାଗରିକ।

ଯୁଦ୍ଧର ଭୟାବହତା କାରଣରୁ ବିଦେଶୀ ନାଗରିକମାନେ ଏବେ ୟୁକ୍ରେନ୍ ଛାଡ଼ି ପଳାୟନ କରିବାକୁ ଚିନ୍ତା କରୁଛନ୍ତି। ୟୁକ୍ରେନ୍‌ରୁ ପ୍ରାୟ ୧୦ ଲକ୍ଷ ବିଦେଶୀ ନାଗରିକ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ଅନ୍ୟପଟରେ ୟୁକ୍ରେନ୍ ସରକାର କହିଛନ୍ତି ଯେ, ଖେରସୋନରେ ଲଢ଼େଇ ଜାରି ରହିଛି।