ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ସଂଘର୍ଷ ଦିନକୁ ଦିନ ଖରାପ ସ୍ତରଆଡ଼କୁ ଅଗ୍ରସର ହେଉଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରୁଷିଆର ରାଷ୍ଟ୍ରପତିଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ୨ୟ ଥର ପାଇଁ ପୁତିନଙ୍କ ସହିତ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ରୁଷୀୟ ରାଷ୍ଟ୍ରପତି ପୁତିନ ୟୁକ୍ରେନ୍‌ରେ ଫସିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଦେବାରେ ସହଯୋଗ କରିବେ ବୋଲି ଭରସା ଦେଇଛନ୍ତି।

ଖାରକିଭ୍‌ରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁତିନଙ୍କ ସହିତ କଥା ହୋଇଛନ୍ତି। ରୁଷିଆ ଦେବି କରିଛି ଯେ, ଖାରକିଭ ଉପରେ ନିୟନ୍ତ୍ରଣ କରିସାରିଛି। ଖାରକିଭରେ ବ୍ୟାପକ ସଂଖ୍ୟାରେ ଭାରତୀୟ ଛାତ୍ର-ଛାତ୍ରୀମାନେ ଫସିରହିଛନ୍ତି। ପୁତିନ କହିଛନ୍ତି ଯେ, ରୁଷୀୟ ସେନା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ।

ପୁତିନ ଏହା ମଧ୍ୟ କହିଛନ୍ତି ଯେ, ଆମେ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳକୁ ତୁରନ୍ତ ସେଠାରୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର କରିଡର ମାଧ୍ୟମରେ ଖୁବ ଶୀଘ୍ର ରୁଷିଆ ନେଇ ଯିବାକୁ ଉଦ୍ୟମ କରୁଛୁ। ଏହା ପରେ ସେମାନଙ୍କୁ ଭାରତ ପଠାଇ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ଓ ପୁତିନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଳ୍ପ ସମୟ ପରେ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ୟୁକ୍ରେନ୍ ସରକାର ଉପରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ଅଣାଯାଇଛି।