ବାଇକ ଚୋରି ଘଟଣାରେ ଜଣେ ଗିରଫ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାର ଅନେକ ଗାଁରୁ ବେଧଡ଼କ ଭାବେ ବାଇକ ଚୋରି ବଢ଼ିବାରେ ଲାଗିଥିଲା। ଏହିକ୍ରମେଖଲିଆପାଳି ଗାଁର ସୁଶାନ୍ତ ସାହୁଙ୍କ ବାଇକ ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସଇଁନ୍ତଲା ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା ।

ମିଳିଥିବା ରିପୋର୍ଟ ମୁତାବକ, ଗତ ଶୁକ୍ରବାର କୁମ୍ଭାରୀ ଗାଁର ଖେଳ ପଡ଼ିଆରେ ରହୁଥିବା ଜଣେ ନାବାଳକ ଘରୁ ୫ଟି ବାଇକ ଉଦ୍ଧାର କରାଯାଇଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ମାରିବାରେ ସଫଳ ହୋଇଥିଲା । ପରେ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହ ଏଏସଆଇ ଥବୀର ମହାରଣା ତଦନ୍ତ ଜାରି ରଖି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ଗିରଫ କରି ଏକ ବାଇକ ମଧ୍ୟ ଜବତ କରିଛନ୍ତି । ଅଭିଯୁକ୍ତ ଜଣକ କୁମ୍ଭାରୀ ଗାଁ ଧୂମାମରାର ସୁବାଷ ବାଗ(ଆତା)ବୋଲି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ସଇଁନ୍ତଲା ପୁଲିସ ଟିଟିଲାଗଡ଼ କୋର୍ଟ ଚାଲାଣ କରିଛି ।