ପୁଣି ହନୁମାନ ପଇସା କାରବାରରେ ଜଣେ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଜିଲ୍ଲାରେ ବେଆଇନ ହନୁମାନ ପଇସା ରାକେଟ ସକ୍ରିୟ ରହିଥିବାବେଳେ ପୁଲିସର ମାରାଥନ ରେଡ ବେଆଇନ ବେପାରୀଙ୍କ ନିଦ ହଜାଇଛି । ଗତକାଲି ରିଆମାଳ ଥାନାଞ୍ଚଳରୁ ହନୁମାନ ପଇସା ସହ ଜଣେ ଅଭିଯୁକ୍ତ ଗିରଫ ହେବାର ୨୪ ଘଣ୍ଟା ମଧ୍ୟରେ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ହାତରେ ଆଉ ଜଣେ ହନୁମାନ ପଇସା କାରବାରରେ ସମ୍ପୃକ୍ତ ଯୁବକ ଧରା ପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତିରେ ଝାଡ଼େଶ୍ୱର ମନ୍ଦିର ପରିସରରେ ଗ୍ରାହକଙ୍କ ସହ ୨ଲକ୍ଷ ଟଙ୍କାର ଡିଲ ବେଳେ ଜଣେ ଯୁବକକୁ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ସ୍କ୍ୱାର୍ଡ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାଞ୍ଚଳର ବ୍ରହ୍ମାନନ୍ଦ ବଳ । ଅଭିଯୁକ୍ତ ବ୍ରହ୍ମାନନ୍ଦଙ୍କ ବିରୁଦ୍ଧରେ ଦେବଗଡ଼ ଥାନାରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡ଼ିଏସପି ପ୍ରଦୀପ କୁମାର କେରକେଟ୍ଟା, ଦେବଗଡ଼ ଆଦର୍ଶ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ, ଅତିରିକ୍ତ ଥାନାଧିକାରୀ ସରୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।