ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ 

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନାଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ଆଜି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ରାଇସୁଆଁ ଥାନା ଅନ୍ତର୍ଗତ ପୁରୁମୁଣ୍ଡା ଗ୍ରାମ ବ୍ରାହ୍ମଣୀ ସାହିର ସ୍ବର୍ଗତ ପଟେଲ ମୁଣ୍ଡାଙ୍କ ପୁଅ ଗାର୍ଡି ମୁଣ୍ଡା (୨୮) ଗତ ୮ ତାରିଖ ସନ୍ଧ୍ୟା ସମୟରେ ଦେବଗଡ଼ ଥାନାଞ୍ଚଳରୁ ଜଣେ ୧୭ ବର୍ଷୀୟା ନାବାଳିକାକୁ ଅପହରଣ କରିନେଇଥିଲା। ଏନେଇ ନାବାଳିକାଙ୍କ ପିତା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ନାବାଳିକାକୁ ଅପହରଣ କରି ଅଭିଯୁକ୍ତ ନିଜ ଗ୍ରାମରେ ରଖିଥିବା ସୂଚନା ପାଇ ସବ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀ ସେଠାରେ ଚଢ଼ଉ କରି ଗତକାଲି ଅପହୃତା ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଗାର୍ଡକୁ ଗିରଫ କରିଥିଲେ।

ଆଜି ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।