ଓମ୍ବାଡ୍‌ସି ଅଞ୍ଚଳରେ ହେବ ଉତ୍କର୍ଷ ବୈଷୟିକ ଦକ୍ଷତା ତାଲିମ କେନ୍ଦ୍ର, ଟପ୍‌-୧୦୦ ର‌୍ୟାଙ୍କିରେ ଓଡ଼ିଶାର ୧୧ ଆଇଟିଆଇ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାରେ ତାଲିମ୍‌ପ୍ରାପ୍ତ ବ୍ରାଣ୍ଡ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ଲାଭ କରିବା ପରେ ଏହାକୁ ଆଉ ପାଦେ ଆଗକୁ ନେଇ ରାଜ୍ୟ ସରକାର ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ଜିଲ୍ଲାମାନଙ୍କରେ ଉତ୍କୃଷ୍ଟ ବୈଷୟିକ ଦକ୍ଷତା ତାଲିମ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍‌ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ ସିଂ ଓମ୍ବାଡ୍‌ସି ଅଞ୍ଚଳରେ ଏ ପ୍ରକାର ତାଲିମ୍ କେନ୍ଦ୍ର ବିକଶିତ କରିବାର ଆବଶ୍ୟକତା ଓ ସମ୍ଭାବନା ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଓମ୍ବାଡ୍‌ସି ଅଞ୍ଚଳର ଯୁବକଯୁବତୀଙ୍କୁ ଅତ୍ୟାଧୁନିକ ସେକ୍ଟରଗୁଡ଼ିକରେ ନିଯୁକ୍ତି-ଦକ୍ଷ କରାଇବା ନିମନ୍ତେ ଏହି ସବୁ ଜିଲ୍ଲାରେ ନୂଆ-ଯୁଗ ଟ୍ରେଡ୍‌ଗୁଡ଼ିକରେ ତାଲିମ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ଡ୍ରୋନ୍ ପାଇଲଟିଂ, ସୌରଶକ୍ତି ବୈଷୟିକ କୌଶଳ, ସ୍ମାର୍ଟ କୃଷି, ସ୍ମାର୍ଟ ଉଦ୍ୟାନଚାଷ, ରୋବଟିକ୍ସ, ମେକାଟ୍ରୋନିକ୍ସ, ଥ୍ରୀ-ଡି କୌଶଳ ଆଦି ବିଷୟରେ ତାଲିମ୍ ଆରମ୍ଭ କରିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ସମନ୍ୱୟରେ ସେମାନେ ଦରକାର କରୁଥିବା ମାନବ ସମ୍ବଳ ଅନୁଯାୟୀ ତାଲିମ୍ ପାଠ୍ୟକ୍ରମ ସ୍ଥିର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ କୌଶଳ ବିକାଶ ତାଲିମ କେନ୍ଦ୍ରଗୁଡ଼ିକରେ ୱାର୍କଶପ୍ ଏବଂ ଆଧୁନିକ ପରୀକ୍ଷାଗାର ସବୁରେ ଉତ୍ପାଦନ କାର୍ଯ୍ୟ କରି ସେ ଗୁଡ଼ିକର ନିଜସ୍ୱ ରୋଜଗାର ବଢ଼ାଇବାକୁ ମଧ୍ୟ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ ।

ବିଭାଗୀୟ ସଚିବ ଶ୍ରୀ ସିଂ କହିଥିଲେ, ଶିଳ୍ପାନୁଷ୍ଠାନ ସହଯୋଗରେ କଟକ, ପଟ୍ଟାମୁଣ୍ଡାଇ ଏବଂ ବାଲେଶ୍ୱର ଆଇଟିଆଇ ଗୁଡ଼ିକରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ କାର୍ଯ୍ୟ କରୁଛି । ଯାଜପୁର ଆଇଟିଆଇ, ଯାଜପୁର ପଲିଟେକ୍‌ନିକ୍‌, ବାରିପଦା ଆଇଟିଆଇ, ତାକତପୁର ଆଇଟିଆଇ ଆଦିରେ ଅଟୋମେସନ୍ ଟେକ୍ନୋଲୋଜି, ଆଡ୍‌ଭାନ୍ସଡ୍ ୱେଲ୍‌ଡିଂ, ଥର୍ମାଲ୍ କଟିଂ, ମିନି ଟୁଲ୍ ରୁମ୍ ଆଦି ବିଷୟରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ବିକଶିତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । କରଞ୍ଜିଆ, ଉଦଳା, କପ୍ତିପଦା, ଆନନ୍ଦପୁର, କେନ୍ଦୁଝର, ରାଉରକେଲା, ବଡ଼ବିଲ, ବରକୋଟ ଆଇଟିଆଇ, ମୟୂରଭଞ୍ଜ ପଲିଟେକ୍‌ନିକ୍‌, ଦେବଗଡ଼ ପଲିଟେକ୍‌ନିକ୍ ଓ କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂ ଅନୁଷ୍ଠାନ ଆଦିରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ବିକଶିତ କରିବା ବିଷୟ ମଧ୍ୟ ବୈଠକରେ ଅନୁମୋଦିତ ହୋଇଥିଲା ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବର୍ତ୍ତମାନ କଟକ, ବ୍ରହ୍ମପୁର ଏବଂ ହୀରାକୁଦ ଆଇଟିଆଇରେ ତିନିଟି ମିନି ଟୁଲ୍ ରୁମ୍ ଭୁବନେଶ୍ୱରର ସିଟିଟିସି ସହଭାଗିତାରେ କାର୍ଯ୍ୟ କରୁଛି । କଟକ ଟୁଲ୍‌ରୁମ୍‌ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପାଇଁ କେତେକ ଯନ୍ତ୍ରପାତି ଉତ୍ପାଦନ କରାଯାଉଛି । ଓଡ଼ିଶାର ୧୧ଟି ଆଇଟିଆଇ ଜାତୀୟ ସ୍ତରରେ ଟପ୍‌-୧୦୦ ଅନୁଷ୍ଠାନ ମଧ୍ୟରେ ସ୍ଥାନ ହାସଲ କରିଛି ବୋଲି ଶ୍ରୀ ସିଂ କହିଥିଲେ । ଏହି ୧୧ଟି ଉତ୍କୃଷ୍ଟ ବିବେଚିତ ଅନୁଷ୍ଠାନ ମଧ୍ୟରୁ ୭ଟି ସରକାରୀ ଏବଂ ୪ଟି ବେସରକାରୀ ଅନୁଷ୍ଠାନ । ୭ଟି ସରକାରୀ ଅନୁଷ୍ଠାନ ମଧ୍ୟରେ ଅଛନ୍ତି, ବ୍ରହ୍ମପୁର ଆଇଟିଆଇ (୧୧ତମ ସ୍ଥାନ), ହିଞ୍ଜିଳିକାଟୁ ଆଇଟିଆଇ (୧୫ତମ ସ୍ଥାନ), ଯାଜପୁର ଆଇଟିଆଇ (୨୪ତମ ସ୍ଥାନ), ଝାରସୁଗୁଡ଼ା ଆଇଟିଆଇ (୪୫ତମ ସ୍ଥାନ), ପୁରୀ ଆଇଟିଆଇ (୬୧ ତମ ସ୍ଥାନ), ତାକତପୁର ଆଇଟିଆଇ (୭୩ ତମ ସ୍ଥାନ) ଏବଂ ଭୁବନେଶ୍ୱର ଆଇଟିଆଇ (୮୮ତମ ସ୍ଥାନ) । ସେହିପରି ୪ଟି ବେସରକାରୀ ଅନୁଷ୍ଠାନ ମଧ୍ୟରେ ରହିଛନ୍ତି, ଆଇଟିଆଇ ଭଦ୍ରକ (୫୨ତମ ସ୍ଥାନ), ଆଇଟିଆଇ ଚରମ୍ପା (୬୬ତମ ସ୍ଥାନ), ଡାଲମିଆ ଆଇଟିଆଇ, ସୁନ୍ଦରଗଡ଼ (୬୪ ତମ ସ୍ଥାନ) ଏବଂ ଶ୍ରୀଗୁରୁ ଆଇଟିସି, ଜଗତପୁର, କଟକ (୬୫ତମ ସ୍ଥାନ) ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ ଜି, ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ ମୁଖ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା, ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା, ଯୁଗ୍ମ ସଚିବ ଅଜୟ ନାୟକ ପ୍ରମୁଖ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପ ଶାସନ ସଚିବ ଶିବ ପ୍ରସାଦ ମଲ୍ଲିକ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ ।