ଭୁବନେଶ୍ୱର,ଏନ୍ଏନ୍ଏସ୍: ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଗୋଦାବରୀ ନଦୀ ଉପରେ ନିର୍ମାଣାଧୀନ ପୋଲାଭରମ୍ ନଦୀବନ୍ଧ ପ୍ରକଳ୍ପ ଉପରେ ଶନିବାର ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)ନିଜର ରାୟ ଶୁଣାଇଛନ୍ତି। ରାୟରେ ଏନ୍ଜିଟି ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ (ପିପିଏ), ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ, କେନ୍ଦ୍ରୀୟ ଜଳ ଆୟୋଗ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଓଡ଼ିଶା ସମେତ ୩ ରାଜ୍ୟ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨ ମାସ ମଧ୍ୟରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ଚିନ୍ତା ଦୂରକରିବାକୁ ଏନ୍ଜିଟି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ଏହି ଆଲୋଚନାବେଳେ ଉପରମୁଣ୍ଡରେ ଥିବା ରାଜ୍ୟ ତେଲେଙ୍ଗାନା, ଛତିଶଗଡ଼ ଓ ଓଡ଼ିଶା ସରକାର ନିଜ ନିଜର ଚିନ୍ତା ଜଣାଇବେ। ଏସବୁ ଚିନ୍ତା ଦୂର କରିବାର ସମାଧାନ ଆନ୍ଧ୍ରପ୍ରଦେଶ ସରକାର ଓ ପିପିଏ ଉପରୋକ୍ତ ୩ ରାଜ୍ୟକୁ ଜଣାଇବା ସହ ଆଲୋଚନାର ନିଷ୍କର୍ସକୁ ଏନ୍ଜିଟି ପାଖରେ ଦାଖଲ କରିବେ। ତେବେ ଏହି ମାମଲାକୁ ସୁପ୍ରିମକୋର୍ଟ ସ୍ଥାନାନ୍ତରଣ ଆବେଦନକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଏହି ପ୍ରକଳ୍ପ ସମ୍ପର୍କରେ ନିଜର ରିପୋର୍ଟ ଦେବାକୁ ଗଠିତ ୪ ଜଣିଆ ବିଶେଷଜ୍ଞ କମିଟି ଗତ ୮ ତାରିଖରେ ନିଜର ରିପୋର୍ଟ ଦାଖଲ କରିଥିଲେ। କମିଟି ପକ୍ଷରୁ ୯ଟି ସୁପାରିଶ ଦାଖଲ କରାଯାଇଥିବା ବେଳେ ସେଥିମଧ୍ୟରୁ ୮ଟି ସୁପାରିଶକୁ ଏନ୍ଜିଟି ଗ୍ରହଣ କରିଥିବା ଜଣାପଡ଼ିଛି।
ସୁପାରିଶଗୁଡ଼ିକ ମଧ୍ୟରେ ଅନ୍ତଃରାଜ୍ୟ ରାଜିନାମା ଅନୁସାରେ ପୋଲାଭରମ୍ ଅଥରିଟି କାମ କରିବା, ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ଦେଇଥିବା ୧୯୮୦ ରାୟକୁ ମାନିବା, ଜଳ ମଗ୍ନ ହେଉଥିବା ଅଞ୍ଚଳର ଅନୁଧ୍ୟାନ କରିବା ପ୍ରଭୃତି ରହିଛି। ସେହିପରି ପ୍ରକଳ୍ପର ବ୍ୟାକ୍ ୱାଟର୍ ଷ୍ଟଡି, ପ୍ରକଳ୍ପ ଯୋଗୁଁ ଏହାର କୌଣସି କୁପ୍ରଭାବ ପଡ଼ିଲେ ଏଥିପାଇଁ ଆନ୍ଧ୍ର ସରକାରଙ୍କ ଜଳ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବ ପ୍ରସ୍ତାବକୁ ଏନ୍ଜିଟି ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ପ୍ରକଳ୍ପ ନେଇ ତେଲେଙ୍ଗାନା, ଓଡିଶା, ଆନ୍ଧ୍ର, ଛତିଶଗଡ଼ ଉଭୟ ଆଲୋଚନା କରିବା ସହ ଓଡ଼ିଶାର କ୍ଷତିଗ୍ରସ୍ତ ହେବାକୁ ଥିବା ୬୩୧୬ ଲୋକଙ୍କୁ ଥଇଥାନ ପାଇଁ ବିଶେଷଜ୍ଞ କମିଟି ପରାମର୍ଶ ଦେଇଥିବା ବେଳେ ଏନ୍ଜିଟି ତାହାକୁ ଗ୍ରହଣ କରିଛନ୍ତି।