ଦେବଗଡ଼,ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ କୁମାଳ ଗାଁ ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ମହୁକୁଡ଼ ଗ୍ରାମର ଗେଲି ସାହୁ(୬୦)। ମିଳିଥିବା ରିପୋର୍ଟ ମୁତାବକ, ବୃଦ୍ଧା ଜଣକ ଗତ କିଛିଦିନ ପୂର୍ବେ କୁମାଳ ଗ୍ରାମସ୍ଥିତ ନିଜ ଝିଅ ଘରକୁ ଆସି ଥିବାବେଳେ ଶୌଚ ପାଇଁ ସେ ଗାଁ ପୋଖରୀକୁ ଯାଇ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ। ଆଜି ଜଣେ ବୃଦ୍ଧାଙ୍କ ମୃତ ଶରୀର ପାଣିରେ ଭାସୁଥିବା ଦେଖି କେତେକ ଗ୍ରାମବାସୀ ଗାଁରେ ଜଣାଇବା ସହ ରିଆମାଳ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ସହାୟତାରେ ପୋଖରୀରୁ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।