ପରିତ୍ୟକ୍ତ ଘରେ ପଡ଼ି ରହିଛନ୍ତି ବୃଦ୍ଧା, ଜରାନିବାସକୁ ସ୍ଥାନାନ୍ତର ପାଇଁ ପ୍ରଶାସନିକ ଉଦ୍ୟମ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ‘ମୋତେ କିଛି କୁହନ୍ତୁ ନାହିଁ ବାବୁ, ମୋ ଘରକୁ ମୟୂର ଭାଙ୍ଗି ଦେଉଛି । ମୁଁ ଏ ଘରେ ହିଁ ରହିବି। ମୁଁ ଭଲ ଘରେ ରହିବାକୁ ଚାହେଁ ନାହିଁ ବାବୁ । ଏହା ହିଁ ମୋ ପାଇଁ ସ୍ୱର୍ଗ ।’ ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ ବରଂ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମରେ ଏକ ପରିତ୍ୟକ୍ତ ଏବଂ ଉଇହୁଙ୍କା ଭଳି ଦେଖାଯାଉଥିବା ଏକ ଘରେ ରହୁଥିବା କଣ୍ଠଦେଇ ବିଶି(୭୦)ଙ୍କ ସ୍ୱଗତୋକ୍ତି ।

ସହରଠାରୁ ପ୍ରାୟ ୮କିମି ଦୂର ବାଲିପଟା ଗ୍ରାମରେ କଣ୍ଠଦେଇ ବିଶି ରୁହନ୍ତି । ସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ ପରିବାର କହିଲେ ତାଙ୍କର ୩ ଝିଅ । ବଡ଼ ୨ ଝିଅଙ୍କ ବିବାହ ହୋଇ ସାରିଥିବାବେଳେ ସାନ ଝିଅ ପ୍ରାୟତଃ ଧୁମାଭଟା ଅନ୍ତର୍ଗତ ଦେଗାଁରେ ଥିବା ନିଜ ମାମୁଁ ଘରେ ରୁହେ । କଣ୍ଠଦେଇ ମଧ୍ୟ ସୋଲବନ୍ଧରେ ଥିବା ତାଙ୍କ ଝିଅ-ଜ୍ୱାଇଁ କିମ୍ବା ଦେଗାଁରେ ନିଜ ଭାଇଙ୍କ ଘରେ କିଛି ଦିନ ଲେଖାଏଁ କଟାଇ ଥାଆନ୍ତି । କିନ୍ତୁ ଅନ୍ୟତ୍ର ରହିବାକୁ ଅନିଚ୍ଛା ପ୍ରକାଶ କରିବା ସହ ନିଜ ଭିଟାମାଟିକୁ ଫେରି ଆସନ୍ତି । ତାଙ୍କର ୨୪ ଡିସମିଲ ଘରଡିହି ରହିଛି । ପୁରୁଣା ଘର ସବୁ ଭାଙ୍ଗିରୁଜି ଯିବା ପରେ କେବଳ ଗୋଟିଏ ମାତ୍ର କୋଠରୀ ରହିଛି । ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ସେ ୬୦୦ ଟଙ୍କା ଏବଂ ପ୍ରତିମାସ ୧୦ କେଜି ଲେଖାଏଁ ଚାଉଳ ପାଆନ୍ତି । ୨୦୦୯-୧୦ ବର୍ଷରେ ତାଙ୍କୁ ଏକ ଇନ୍ଦିରା ଆବାସ ଘର ମିଳିଥିଲେ ମଧ୍ୟ ତାକୁ ସେ ସମ୍ପୂର୍ଣ୍ଣ କରିପାରି ନଥିଲେ । ତାଙ୍କ ଜ୍ୱାଇଁ ବଜରଙ୍ଗ ଭୋଇଙ୍କ କହିବାନୁଯାୟୀ, ସେ ନିଜେ ଘର ନିର୍ମାଣ କରିବା କାର୍ଯ୍ୟ ହାତକୁ ନେଇ ଆରମ୍ଭ କରିଥିଲେ । କିନ୍ତୁ କଣ୍ଠଦେଇଙ୍କ ଏକାଜିଦ୍ ସେ ଭଲ ଘରେ ରହିବେ ନାହିଁ । ପିତୃପୁରୁଷଙ୍କ ଅର୍ଜିତ ଉକ୍ତ ଘରେ ହିଁ ସେ ରହିବେ । ବାର୍ଦ୍ଧକ୍ୟଜନିତ ମାନସିକ ଅସ୍ଥିରତା ସାଙ୍ଗକୁ ପାରମ୍ପରିକ ଚିନ୍ତାଧାରାକୁ ଜାବୁଡି ଧରି ସେ ଉଇହୁଙ୍କା ଭଳି ପ୍ରତୀୟମାନ ହେଉଥିବା ଉକ୍ତ ଘରେ ପଡ଼ି ରହିଛନ୍ତି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ସୁନାଙ୍କୁ ଏସମ୍ପର୍କରେ ପଚରାଯିବାରୁ ଏକ ଡାକ୍ତରୀ ଦଳ ସହ ସେ ନିଜେ ସୋମବାର ଉକ୍ତ ବୃଦ୍ଧାଙ୍କ ପାଖକୁ ଯାଇଥିବା କହିଛନ୍ତି । ଆସନ୍ତାକାଲି କଣ୍ଠଦେଇଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ସମ୍ପର୍କୀୟ ସମ୍ମତି ପ୍ରଦାନ କଲେ ତାଙ୍କୁ ଜରା ନିବାସକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।