ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଅଶନବାହାଳି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ପଦର ମୁଣ୍ଡା(୭୦)। ମିଳିଥିବା ରିପୋର୍ଟ ମୁତାବକ, ଆଜି ଅପରାହ୍ନରେ ପଦର ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ପାଦ ଖସିଯିବାରୁ ବୁଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ପଦରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।