କୋରାପୁଟ,ଏନ୍ଏନ୍ଏସ୍: ପାଡୁଆ ଓ ମାଛକୁଣ୍ଡ ପୁଲିସ ୨କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିବା ନେଇ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଗିରଫ ୨ଜଣ ହେଲେ ବାଡେଲ ଅଞ୍ଚଳର ଗୁରୁ ହନ୍ତାଳ ଏବଂ ପ୍ରହ୍ଲାଦ ଗଲୋରୀ। ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଗଞ୍ଜେଇ ଭରା ଭ୍ୟାନ୍ ଓ ଏସକର୍ଟର୍ରେ ବ୍ୟବହୃତ ଏକ ବାଇକକୁ ଜବତ କରିଛି। ମିଳିଥିବା ରିପୋର୍ଟ ମୁତାବକ, ପାଡୁଆ ଥାନା ବାଡେଲ୍ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଏକ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇ ଏସପି ବରୁଣ ଗୁଂଟୁପାଲ୍ଲିଙ୍କ ନିର୍ଦ୍ଦେଶରେ ଏସଡିପିଓ ଶ୍ରୀ ମହାପାତ୍ର, ପାଡୁଆ ଥାନାଧିକାରୀ ସରୋଜ କୁମାର ମଲ୍ଲିକ ଓ ଅନ୍ୟ କର୍ମଚାରୀ ଡାକ ବଙ୍ଗଳା ନିକଟରେ ନାକାବନ୍ଦୀ କରିଥିଲେ। ଏହି ସମୟରେ ଗଞ୍ଜେଇ ନେଇ ଯାଉଥିବା ଭ୍ୟାନ୍ ଆସିବା ମାତ୍ରେ ପୁଲିସ୍ ଟିମ୍ ଗାଡ଼ି ଅଟକାଇ ଯାଞ୍ଚ କରିବା ବେଳକୁ ସେଥିରୁ ୩୭ଟି ଜରି ଅଖାରେ ପ୍ରାୟ ୧ହଜାର କିଲୋଗ୍ରାମର ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଅନ୍ଧାରର ସୁଯୋଗ ନେଇ ଭ୍ୟାନ୍ ଡ୍ରାଇଭର ଫେରାର ହୋଇ ଯାଇଥିବାବେଳେ ଚୋରା ଗଞ୍ଜେଇ ଚାଲାଣରେ ଏସକର୍ଟର୍ ଦେଉଥିବା ୨ଜଣକୁ ଗିରଫ କରାଯାଇଛି।
ସେହିପରି ମାଛକୁଣ୍ଡ ପୁଲିସ ଲମତାପୁଟ-ସଗର ରାସ୍ତାର ବଡ଼ପଡ଼ା ଘାଟି ନିକଟସ୍ଥ ନିଳଗିରି ବାଡ଼ରୁ ୧୦୧୦ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି। ବଡ଼ପଡ଼ା ଘାଟି ନିକଟ ନିଳଗିରି ବାଡ଼ରେ ବିପୁଳ ପରିମାଣର ଗଞ୍ଜେଇ ପଡ଼ି ରହିଥିବା ସୂଚନା ପାଇ ମାଛକୁଣ୍ଡ ଥାନାର ସବଇନ୍ସପେକ୍ଟର ଦିଲ୍ଲୀପ ପ୍ରଧାନ ଓ ଏଏସଆଇ ମହେଶ୍ୱର କିର୍ଷାନୀ ପୁଲିସ୍ ଟିମ୍ ନେଇ ଘଟଣାସ୍ଥଳରେ ପହଂଚିଥିଲେ। ନିଳଗିରି ଜଙ୍ଗଲରେ ଜରି ଅଖାରେ ଗଞ୍ଜେଇ ରଖା ଯାଇଥିବା ଦେଖିବାକୁ ପାଇ ସେଗୁଡ଼ିକ ଜବତ କରି ଥାନାକୁ ଆଣିଥିଲେ। ଗଞ୍ଜେଇ ମାଫିଆ ସେଗୁଡ଼ିକ ରାତିରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରି ସେଠାରେ ଗଚ୍ଛିତ ରଖିଥିବା ପୁଲିସ ସନ୍ଦେହ କରୁଛି। ତେବେ ଉକ୍ତ ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନଥିଲେ ମଧ୍ୟ ପୁଲିସ୍ ଏନଡିପିଏସ୍ ଆଇନରେ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିବାବେଳେ ଖୁବଶୀଘ୍ର ଗଞ୍ଜେଇ ମାଫିଆଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ନନ୍ଦପୁର ଏସଡିପିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ପାଡୁଆ ଓ ମାଛକୁଣ୍ଡ ପୁଲିସ ଦ୍ୱାରା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି।