ସନ୍ଦେହଜନକ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରର ଚନ୍ଦ୍ରଶେଖର ନଗରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଚନ୍ଦ୍ରଶେଖର ନଗରର ଏକ ସରକାରୀ କ୍ୱାର୍ଟସରୁ ଜଣେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ଘର ବଲାଙ୍ଗିରର ସଦର ବ୍ଲକ ପୁଡାସିଂ ଗାଁରେ ବୋଲି ଜଣାପଡ଼ିଛି। ସନ୍ଦେହଜନକ ଅବସ୍ଥାରେ ଟାଉନ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ବୃଦ୍ଧଙ୍କର ମୃତଦେହ ଘର ଭିତରେ ପଡିରହିଥିବା ବେଳେ ବୃଦ୍ଧାଙ୍କର ମୃତଦେହ ଝରକାରେ ବନ୍ଧା ହୋଇ ବେକରେ ରଶି ଲାଗିଥିବା ଅବସ୍ଥାରେ ରହିଛି। ଅସହାୟ ଜୀବନ ବିତାଉଥିବାରୁ ଲୋକେ ଉକ୍ତ ଦମ୍ପତିଙ୍କୁ କ୍ୱାଟର୍ସରେ ରଖିଥିଲେ। ତେବେ କିଭଳି ଓ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।