ମନଇଚ୍ଛା ଭଡ଼ା ବଢ଼ାଇ ପାରିବେନି ଓଲା, ଉବେର

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଓଲା ଓ ଉବେର ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହାଦ୍ୱାରା କ୍ୟାବ୍ କମ୍ପାନୀଙ୍କର ଭଡ଼ା ବଢ଼ାଇବାର ଏକ ସୀମା ନିର୍ଦ୍ଧାରଣ କରଯାଇଛି। କମ୍ପାନୀଗୁଡ଼ିକ ଏବେଠୁ ମୂଳ ଭଡ଼ାର ଦେଢ଼ଗୁଣାଠାରୁ ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସାଧାରଣ ଜନତା ବେଶ୍ ଉପକୃତ ହେବେ। କାରଣ ଦୀର୍ଘ ଦିନରୁ କ୍ୟାବ କମ୍ପାନୀଙ୍କ ଅଧିକତମ ଭଡ଼ା ଆଦାୟ କରିବା ଉପରେ ରୋକ ଲଗାଇବାକୁ ଦାବି ହୋଇ ଆସୁଥିଲା।

ସଡ଼କ ପରିବହନ ମନ୍ତ୍ରଣାଳୟର ଗାଇଡଲାଇନ ଅନୁସାରେ, ଯଦି କେହି ଡ୍ରାଇଭର କିମ୍ବା ଗ୍ରାହକ ବୁକିଂ କରିବା ପରେ ବିନା କୌଣସି କାରଣରୁ ରାଇଡକୁ କେନସଲ କଲେ ସେଥିରେ ୧୦ ପ୍ରତିଶତ ପେନାଲଟି ଲାଗିବ। କିନ୍ତୁ ଏହି କେନସଲେସନ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ। ଯଦି ଓଲା, ଉବେର ଯାତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୁଅନ୍ତି, ଅଧିକ ଭଡ଼ା ଆଦାୟ କରନ୍ତି ତେବେ ସେମାନଙ୍କ ଲାଇସେନ୍ସ ରଦ୍ଦ କରିଦିଆଯିବ। ଯଦି ବର୍ଷରେ ୩ଥର ଲାଇସେନ୍ସ ରଦ୍ଦ ହୁଏ ଓଲା, ଉବେରକୁ ସେବା ବନ୍ଦ କରିବାକୁ ପଡ଼ିବ।